BREAKING
Loading...
:

ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାରେ ସଂଯୋଗ ହେଲା ନୂତନ ମତଦାନ କେନ୍ଦ୍ର

 *ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାରେ ସଂଯୋଗ ହେଲା ନୂତନ ମତଦାନ କେନ୍ଦ୍ର*


ବାରିପଦା: ୦୪.୧୦.୨୦୨୪// ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସରସ ଏବଂ ଜନ ଅଂଶଗ୍ରହଣକାରୀ କରିବା ପାଇଁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୟୂରଭଞ୍ଜଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକର ପୁନଃ ନାମକରଣ, ସ୍ଥାନାନ୍ତରୀକରଣ ଏବଂ  ନୂତନ ମତଦାନ କେନ୍ଦ୍ରର ସଂଯୋଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ସଂଚାଳନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଗୋଟିଏ ନୂତନ ମତଦାନ କେନ୍ଦ୍ର ସଂଯୋଗ ହୋଇଥିବା ବେଳେ ବାରିପଦାରେ ସମୁଦାୟ ମତଦାନ କେନ୍ଦ୍ର ସଂଖ୍ୟା ୨୫୫ କୁ ପହଂଚିଛି। ସେହି ପରି ଭାବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଦୁଇଟି ବୁଥ ସଂଖ୍ୟା ବଢି ୨୪୩ ଟି ସମୁଦାୟ ବୁଥ ଏବଂ ଯଶୀପୁରରେ ଗୋଟିଏ ନୂତନ ବୁଥ ସହିତ ସମୁଦାୟ ୨୯୩ ସଂଖ୍ୟାରେ ପହଂଚିଛି। ସେହି ପରି ଭାବରେ, ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ୫ଟି ମତଦାନ କେନ୍ଦ୍ରର ସ୍ଥାନାନ୍ତରୀକରଣ ହୋଇଥିବା ବେଳେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଗୋଟିଏ ମତଦାନ କେନ୍ଦ୍ରର ସ୍ତାନାନ୍ତରୀକରଣ ହୋଇଛି। ସୂଚନା ଥାଉକି, ଜାତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଗୋଟିଏ ମତଦାନ କେନ୍ଦ୍ରରେ ୧୫୦୦ ରୁ ଅଧିକ ମତଦାତା ହେଲେ ସେହି ସ୍ଥାନରେ ପରିମେୟକରଣ ବା ରାସନାଲାଈଯେସନ ନିୟମ କାର୍ଯ୍ୟକାରୀ କର ଯାଇ ନୂତନ ବୁଥ କରାଯାଏ। ଆଜିର ଏହି ବୈଠକରେ, ଉପଜିଲ୍ଲାପାଳ ବାରିପଦା ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ, ଡେପୁଟି କଲେକ୍ଟର (ଇଲେକ୍ସନ) ଶ୍ରୀ ଦୁର୍ଗାଚରଣ ମୁର୍ମୁ, ସହକାରୀ ଜିଲ୍ଲାପାଳ ଶ୍ରୀ  ନିହାର ରଞ୍ଜନ ଦାସ ଉପସ୍ଥିତ ଥିବା ବେଳେ ବିଭିନ୍ନ ରାଜନୈତକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS