କଣ୍ଟାବାଞ୍ଜି ଲଜ୍ ରୁ ଟଙ୍କା ଜବତ ମାମଲା,ଅଧାଟଙ୍କା ହଡପ ଅଭିଯୋଗରେ ଏସ୍ ପିଙ୍କ ତନାଘନା : ଧରାପଡିଲା ଅଧିକ ୧୩ ଲକ୍ଷ : ଏସଡିପିଓଙ୍କ ବଦଳି !
ବଲାଙ୍ଗୀର (ମଣିଭଦ୍ରା ଖବର) ଗତ ୧୬ ତାରିଖ ରାତିରେ କଣ୍ଟାବାଞ୍ଜିର ଶ୍ରୀ ଅନ୍ନପୂର୍ଣା ହୋଟେଲରେ କଣ୍ଟାବାଞ୍ଜି ପୁଲିସ୍ ର ଅଚାନକ ଚଢାଉରେ ୭ ଜଣ ରାଜ୍ୟବାହାର ର ଆନ୍ଧ୍ରଦାଦନ ଶ୍ରମିକ ଚାଲାଣକାରୀ ସେଠଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଲକ୍ଷ, ଲକ୍ଷ ନଗଦ ଟଙ୍କା ଜବତ କରିଥିଲା । ତେବେ ସେମାନଙ୍କୁ ଥାନାକୁ ନେବାପରେ ଏସ୍ ଡି ପି ଓ ଡ. ହୃଷିକେଶ ମେହେରଙ୍କ ଦ୍ବାରା ପରଦିନ ପୂର୍ବାହ୍ଣରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ମେହେର ଅଭିଯୁକ୍ତମାନଙ୍କୁ ଜୁଆଡି ଓ ସେମାନଙ୍କଠାରୁ ଜବତ କରିଥିବା ଟଙ୍କା ର ପରିମାଣ ୫୮ ଲକ୍ଷ ୫୨ ହଜାର ୨୫୦ଟଙ୍କା ବୋଲି ସୁଚନା ଦେଇଥିଲେ।
ଏହା ସେଠାରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ଓ ସ୍ଥାନୀୟଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ ଓ ପ୍ରତିକ୍ରିୟାଶୀଳ କରିଥିଲା । ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହ କଥା କଟାକଟି ହେବାରୁ ଏସ୍ ଡି ପି ଓ ଶ୍ରୀ ମେହେର ହଡବଡେଇ ଯାଇ ଅଧାରୁ ସାମ୍ବାଦିକ ସମ୍ମିଳନୀରୁ ଉଠିଯାଇ ' ଆଇନ୍ ତା' ବାଟରେ ଯିବ ' ବୋଲି ସଫେଇ ଦେଇଥିଲେ । ଏହି ଗିରଫ ଅଭିଯୁକ୍ତମାନେ ଜୁଆଡି ନୁହଁନ୍ତି ! ବରଂ ତେଲେଙ୍ଗାନାରୁ ସ୍ଥାନୀୟ ସର୍ଦ୍ଦାରଙ୍କୁ ଦାଦନ ଶ୍ରମିକଙ୍କୁ ଚାଲାଣ କରିବାକୁ ବଇନା ଦେବାକୁ ଆଣିଥିବା ୧ କୋଟି ୮ ଲକ୍ଷ ଟଙ୍କା ବୋଲି ଲଜ୍ ର ମ୍ୟାନେଜର ଓ ଅନ୍ୟ ସର୍ଦ୍ଦାରମାନଙ୍କ ସୂତ୍ରରୁ ସ୍ପଷ୍ଟ ହେବାରୁ ଏହାପରେ ଅନ୍ୟାନ୍ୟ ମିଡିଆରେ ମଧ୍ୟ ଏହି ବିଷୟରେ ପ୍ରକାଶ ପାଇଥିଲା । ତେଣୁ ପୁଲିସ୍ କାହିଁକି ଆଗରୁ ପ୍ରାୟ ପ୍ରତିବର୍ଷ ଆସି ଏହି ହୋଟେଲ ସମେତ ଅନ୍ୟାନ୍ୟ ଲଜ୍ ରେ ରହୁଥିବା ଦାଦନସେଠଙ୍କୁ ମିଛରେ ଜୁଆଡି ସଜାଇ ଜବତ ଅଧାଟଙ୍କା ଚାପିଦେଇଛି , ଏ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜିବୀ , ଆଇନଜିବୀ , ରାଜନେତା ଓ କେତେକ ଲୋକପ୍ରତିନିଧି ବା ସ୍ଥାନୀୟ କାଉନସିଲର୍ ମାନେ ଖୋଲା,ଖୋଲି ସ୍ବରୋତ୍ତଳନ କରିଥିଲେ । ତଥାପି ପୁଲିସ୍ ସାମ୍ବାଦିକସମ୍ମିଳନୀରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ କହିଥିବା ସତ୍ତ୍ୱେ ଥାନାରୁ ନୋଟିସ୍ ଦେଇ ସ୍ଥାନୀୟ ଦାଦନ ସର୍ଦ୍ଦାରମାନଙ୍କ ହେପାଜତ୍ ରେ ଛାଡିଦେଇଥିଲା । ସେମାନଙ୍କୁ ହେପାଜତରେ ଥାନାରୁ ନେଇଥିବା ଦାଦନ ଚାଲାଣ କରୁଥିବା ବିଜେପି ନେତା ଖୁଟୁଲୁମୁଣ୍ଡାର ଲକ୍ଷେ ବାଗ ଓ ଏସଡିପିଓଙ୍କ ପାଖକୁ ଆସି ପରାମର୍ଶ ଦେଉଥିବା ଜଣେ କଂଗ୍ରେସ ବିଧାୟକ ଙ୍କ ପାଖଲୋକ ଜିଲ୍ଲା ପରିଷଦ ସଭ୍ୟ ଝରଣୀର କୌଶିକ ମେହେର ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜନ ପ୍ରତିକ୍ରିୟା ସୃଷ୍ଟି ହେବାରୁ ବଲାଙ୍ଗୀର ଏସ୍ ପି ଅତିରିକ୍ତ ଏସ୍ ପି ସୁରେଶ ନାୟକଙ୍କୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ ଜଣେ ମାଜିଷ୍ଟ୍ରେଟ୍ ଭାବେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଜବତ ଟଙ୍କାର ପୁନଃଗଣନା କରାଯିବାରୁ ଥାନରେ ଥିବା ଆଉ ଏକ ବ୍ୟାଗ୍ ରୁ ଅଧିକ ୧୩ ଲକ୍ଷ ଟଙ୍କା ବାହାରିଥିବା ଓ ଏଥିରେ ଅନିୟମିତତା ହୋଇଥିବା ଏସ୍ ପି ସ୍ବୀକାର କରିଥିବା ପ୍ରକାଶ । ଏହାପରେ ବଲାଙ୍ଗୀର ଏସ୍ ପି ନୀତିନ୍ କୁଶଳକରଙ୍କ ନିର୍ଦ୍ଦେଶରେ ଉକ୍ତ ଏସଡିପିଓଙ୍କଠାରୁ ଏଣୁଏଣିକି ସମସ୍ତ ମାମଲାର ତଦନ୍ତଦାୟିତ୍ୱ କାଢିନିଆଯିବା ସହ ତାଙ୍କୁ ବଲାଙ୍ଗୀର ଏସ୍ ପି ଅଫିସ୍ କୁ ବଦଳି କରିଦିଆଯାଇଥିବା ପ୍ରକାଶ । ଆହୁରି ମଧ୍ୟ ଏସ୍ ପି କଣ୍ଟାବାଞ୍ଜି ଥାନାଧିକାରୀ ବାମଦେବ ଶଙ୍ଖୁଆଳ , ଜବତ ସ୍କ୍ବାଡରେ ଯାଇଥିବା ଏ ଏସ ଆଇ ମନୋଜ ବିଶି , କନେଷ୍ଟବଳ ଚନ୍ଦ୍ର ଶେଖର ବାଗ ପ୍ରମୁଖଙ୍କୁ ଜଣ, ଜଣ କରି ଜେରା କରିଥିବା ସହ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସମେତ ଗୃହବିଭାଗକୁ ଜଣାଇଦେଇ ଏଥିରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ଯେ, ପ୍ରାପ୍ତ ଖବରରୁ ଛଡାଯାଇଥିବା ଅଭିଯୁକ୍ତ ସେଠ୍ ମାନଙ୍କ ମଧ୍ୟରୁ ଅଦ୍ୟାବଧି ତିନିଜଣଙ୍କ ସମେତ ଏସଡିପିଓଙ୍କ ସହିତ କଣ୍ଟାବାଞ୍ଜିର ୨ ଜଣ ଘନିଷ୍ଠ ପାଖ ଲୋକଙ୍କୁ ପୁଲିସ୍ ଜେରା କରୁଥିବା ପ୍ରକାଶ । ତେଣୁ ଏହି ଘଟଣାରେ ଜଡିତ ଥିବା ଅନ୍ୟ ପ୍ରଭାବଶାଳୀ ରାଜନେତା , ବ୍ୟକ୍ତିବିଶେଷ ଓ ଥାନାଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ଚଢାଉ ରେ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଥିବା ଓ ସେହିଟଙ୍କା କାହାପାଖରେ ରହିଛି , ବାହାର କରିବାକୁ ମଧ୍ୟ ଦାବି ହେଉଛି । ଉଲ୍ଲେଖନୀୟ ଯେ ଏହି ଏସଡିପିଓ ଜଣକ କିଛିବର୍ଷ ଆଗରୁ ଜଣେ ପ୍ରୋବେସନର ଭାବେ କଣ୍ଟାବାଞ୍ଜି ଥାନାରେ ଥିଲାବେଳେ ଜଣେ ଦାଦନସର୍ଦ୍ଦାର ଠାରୁ ୪୦ ହଜାର ଟଙ୍କା ବଟି ଆଣି ଧରାପଡିବାରୁ ତାଙ୍କୁ ତତ୍କାଳୀନ ଏସ୍ ପି ସନ୍ତୋଷବାଳାଙ୍କ ଅମଳରେ ବରଗଡକୁ ବଦଳି ହୋଇଥିଲା । ଏଥର ତାଙ୍କର ଭିଜିଲାନ୍ସକୁ ବଦଳି ହେଉଥିଲେ ହେଁ , ସେ ଏହାକୁ ବାତିଲ୍ କରାଇ କେବଳ ଦାଦନଚାଲାଣଋତୁ ନିମନ୍ତେ କଣ୍ଟାବାଞ୍ଜିରେ ରହିଯାଇଥିବା ଓ ଏଥିପାଇଁ ୧୨ ଲକ୍ଷ ହାତଗୁଞ୍ଜା ଦେଇଥିବା ଏବଂ ସେ ତାଙ୍କର ପ୍ରକୃତ ଜାତିଗତ ପ୍ରମାଣପତ୍ରରେ ଚଞ୍ଚକତା କରିଆସିଥିବା ଇତ୍ୟାଦିର ଚର୍ଚ୍ଚା ହେଉଥିଲେ ହେଁ , ସେ ଏପରି ଅଭିଯୋଗକୁ ଅସ୍ବୀକାର କରନ୍ତି ।
ସେ ଯାହାହେଉ , ଏହି ଜବତ ଲକ୍ଷାଧିକ ଟଙ୍କା ହଡପ ଓ ପୂର୍ବରୁ ଚଳିତବର୍ଷର ବହୁଚର୍ଚ୍ଚିତ ସିନ୍ଧେକେଲା ଥାନା ର ମାମଲା ଝରଣୀ ଗ୍ରାମର ମମିତା ମେହେର ଅପହରଣ ଓ ହତ୍ୟାମାମଲାରୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ନ କରିବା ସହିତ ଟିଟିଲାଗଡ ଥାନା ବାରେକ ରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର୍ ଘଟଣା ଏବଂ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ରେ ଦୁଇଜଣ ଡାକ୍ତରୀ ଛାତ୍ରୀ ଙ୍କର ରାଗିଂ ଯୋଗୁଁ ମୃତ୍ୟୁ ବା ହତ୍ୟା ଅଭିଯୋଗ ସହିତ ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡ ଓ ଦିନଦ୍ବିପ୍ରହର ରେ ଅଳଙ୍କାର ଦୋକାନରେ ରକ୍ତାକ୍ତ ଡକାୟତି ଘଟଣାଦି ର ତଦନ୍ତରେ ଅବହେଳା ବଲାଙ୍ଗୀର ପୁଲିସ୍ ଜନସାଧାରଣଙ୍କର ଆସ୍ଥା ହରାଇଛି । ଏଣୁ ବଲାଙ୍ଗୀର ପୁଲିସ୍ ପ୍ରଶାସନର ସମୂଳେ ପରିବର୍ତ୍ତନ ଜିଲ୍ଲାବାସୀ ସରକାରଙ୍କ ଠାରେ ଦାବି କରନ୍ତି ।


Post a Comment