ପ୍ରେମ ଅପରାଧ ନୁହେଁ, କିନ୍ତୁ ବିଶ୍ୱାସଘାତ କ୍ଷମାଯୋଗ୍ୟ ନୁହେଁ': କବିତା ଶୁଣାଇ ହତ୍ୟାକାରୀକୁ ଦଣ୍ଡ ଦେଲେ ଜଜ୍
ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ପ୍ରେମିକା ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ଟୋଙ୍କର SC/ST କୋର୍ଟ ପ୍ରେମିକାଙ୍କୁ ହତ୍ୟା କରିବା ମାମଲାରେ ପ୍ରେମିକ ସମେତ ତାଙ୍କ ମା', ଭଉଣୀ ଓ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଗତ କିଛିଦିନ ହେବ ସ୍ପେଶାଲ ଜଜ୍ ଆରତୀ ମାହେଶ୍ୱରୀ ଏହି ରାୟ ଶୁଣାଇଥିଲେ।
ରାୟ ଶୁଣାଇବା ସମୟରେ ବିଚାରପତି ଆରତୀ ମାହେଶ୍ୱରୀ ଏକ କବିତା ମାଧ୍ୟମରେ ମାମଲାର ଗମ୍ଭୀରତା ବର୍ଣ୍ଣନା କରିଥିଲେ। ସେ କହିଥିଲେ, "ପ୍ରେମ କୌଣସି ଅପରାଧ ନୁହେଁ, କିନ୍ତୁ ବିଶ୍ୱାସଘାତ କ୍ଷମାଯୋଗ୍ୟ ନୁହେଁ।" ନ୍ୟାୟର ବାର୍ତ୍ତା ହେଉଛି, ନିର୍ଦ୍ଦୋଷଙ୍କ ରକ୍ତ ବ୍ୟର୍ଥ ଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।
ଘଟଣାଟି ୨୦୨୨ ମସିହାର। ଟୋଙ୍କର ପଚେବର ଥାନା ଅଞ୍ଚଳର ନଗର ଗାଁର ସୁମନ ଜୟପୁରର ବୈଶାଳୀ ନଗରରେ ଭଡ଼ା ଘରେ ରହୁଥିଲେ। ତାଙ୍କର ସାଙ୍ଗାନେର ଅଞ୍ଚଳର ଶିକାରପୁରାର ଜଣେ ଯୁବକ ପ୍ରଧାନଙ୍କ ସହ ସମ୍ପର୍କ ଥିଲା। ୧୧ ସେପ୍ଟେମ୍ବର ୨୦୨୨ରେ ପ୍ରଧାନ ସୁମନଙ୍କୁ ନଗରକୁ ନେଇଯାଇଥିଲେ।
କିଛି ଦିନ ପରେ, ସେ ସୁମନଙ୍କ ପରିବାରକୁ ଫୋନ୍ କରି ସାପ କାମୁଡ଼ିଥିବା ଏବଂ ତାଙ୍କୁ ଅଜମେରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଥିଲେ। ପରିବାର ହସ୍ପିଟାଲରେ ପହଞ୍ଚିବା ବେଳକୁ ସୁମନଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ପରିବାର ସଦସ୍ୟଙ୍କ ସନ୍ଦେହ ହେବାରୁ ପୁଲିସରେ ଅଭିଯୋଗ ହୋଇଥିଲା।
ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ସୁମନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପ୍ରଧାନଙ୍କ ମା', ଭଉଣୀ ଓ ଭାଇ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ବିଷର ପ୍ରମାଣ ଓ ATM ସମ୍ପର୍କିତ ତଥ୍ୟ ସମେତ ବିଭିନ୍ନ ପ୍ରମାଣ ଆଧାରରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା।
ରାୟ ସମୟରେ ବିଚାରପତି କହିଥିଲେ-"ଯିଏ ଜୀବନ ସାରା ସାଥ୍ ଦେବାର ପ୍ରତିଶ୍ରୁତି ଦେଇଥିଲା, ସେହି ଜୀବନ ନେଇଗଲା।" ଉଲ୍ଲେଖଯୋଗ୍ୟ, ୨୦୨୫ରେ ମଧ୍ୟ ଜଜ୍ ଆରତୀ ମାହେଶ୍ୱରୀ ଏକ କୃଷକ ହତ୍ୟା ମାମଲାରେ କବିତା ଶୁଣାଇ ଦୋଷୀଙ୍କୁ ଦଣ୍ଡ ଶୁଣାଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment