BREAKING
Loading...
:

ଅଦିନିଆ ଓ ଅମାନିଆ ଇସ୍କନକୁ ପଦେ: ଜଗନ୍ନାଥ ସଂସ୍କୃତି ସହ ଖେଳ ଜମା ସହ୍ୟ କରାଯିବନାହିଁ

 ଅଦିନିଆ ଓ ଅମାନିଆ ଇସ୍କନକୁ ପଦେ: ଜଗନ୍ନାଥ ସଂସ୍କୃତି ସହ ଖେଳ ଜମା ସହ୍ୟ କରାଯିବନାହିଁ


ଭୁବନେଶ୍ୱର: ​ଭାରତ ବର୍ଷର ସନାତନ ଧର୍ମର ଅନ୍ୟତମ ପ୍ରମୁଖ ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ଧାମ। ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଏକ ଆରାଧନା ପଦ୍ଧତି ନୁହେଁ, ବରଂ ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ, ଚେତନା ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜଡ଼ିତ ଥିବା ଏକ ଅନନ୍ୟ ପରମ୍ପରା। ପୁରୀର ଶାସ୍ତ୍ର, ବିଧି ଓ ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଙ୍ଗ, ଝଲମଲ ରୂପ ଓ ମହାପ୍ରଭୁଙ୍କ ସୌରଭ ସମ୍ଭାରର ସୁଗନ୍ଧ ବିଶ୍ୱବାସୀଙ୍କୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖିଛି।


​ମାତ୍ର ଅତ୍ୟନ୍ତ ପରିତାପର ବିଷୟ, ବିଶ୍ୱସ୍ତରରେ ସନାତନ ଧର୍ମର ପ୍ରଚାର ନାଁରେ କିଛି ଅମାନିଆ ସଂଗଠନ, ବିଶେଷ କରି 'ଇସ୍କନ' (ISKCON), ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରୀୟ ନୀତି ଓ ପରମ୍ପରାକୁ ବାରମ୍ବାର ଅବମାନନା କରି ଚାଲିଛନ୍ତି। ବିଦେଶ ମାଟିରେ ନିଜ ଇଚ୍ଛା ମୁତାବକ ଯେକୌଣସି ସମୟରେ ‘ଅଦିନିଆ ରଥଯାତ୍ରା’ ଆୟୋଜନ କରି ସେମାନେ ମହାପ୍ରଭୁଙ୍କ ଲୀଳାକୁ ଏକ ପ୍ରକାର କଣ୍ଢେଇ ନାଚରେ ପରିଣତ କରିଛନ୍ତି। ଯଦି ଇସ୍କନ ଭାବୁଥାଏ ଯେ ବିଦେଶର ଏହି କଣ୍ଢେଇ ନାଚକୁ ସେମାନେ ଭାରତ ବର୍ଷରେ ମଧ୍ୟ ଚଳାଇଦେବେ, ତେବେ ସେମାନେ ବଡ଼ ଭ୍ରମରେ ଅଛନ୍ତି। ଏହା ସନାତନୀ ସମାଜ କେବେହେଲେ ଗ୍ରହଣ କରିବ ନାହିଁ।

​ସତ୍ୟ କୁ ଖୋଲା ଛାଡିଦିଅ, ସେ ନିଜେ ଡେରି ରେ ବି ହେଉ ତାର ରାସ୍ତା ବାହାର କରିଦେବ। ଛଳନା ଓ ମିଛ କିଛି ଦିନର ଅତିଥି ମାତ୍ର।


​ଧର୍ମ ସହିତ ବ୍ୟବସାୟ ଓ ରାଜନୀତିର ଏହି ଅପମିଶ୍ରଣ ଏବେ ସୀମା ପାର୍ କରିସାରିଲାଣି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ସଂସ୍କୃତିର ବିକୃତୀକରଣ ଏବଂ ପରମ୍ପରାକୁ ଭଙ୍ଗ କରିବା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ସତ୍ୟର ନିଜସ୍ୱ ଏକ ଶକ୍ତି ଥାଏ, ଯାହାକୁ ପ୍ରମାଣିତ କରିବା ପାଇଁ କୌଣସି ବାହ୍ୟ ପ୍ରମାଣର ଆବଶ୍ୟକତା ପଡ଼େନାହିଁ।

​ଯେଉଁଦିନ ଏହି ଛଳନାର ସମ୍ପର୍କ 'ଅତି'ରୁ 'ଇତି' ଆଡ଼କୁ ଗତି କରିବ ଏବଂ ଜଗନ୍ନାଥପ୍ରେମୀଙ୍କୁ ମାନସିକ କଷ୍ଟ ଓ ଅପମାନ ଦେବ, ସେଦିନ ଏଭଳି ଅଧର୍ମୀ ମନୋଭାବକୁ ରସାତଳକୁ ଯିବା ପାଇଁ ସମାଜ ବାଧ୍ୟ କରିବ। ଇସ୍କନ କର୍ତ୍ତୃପକ୍ଷ ତୁରନ୍ତ ସନାତନ ଧର୍ମର ମୂଳ ବିଧିବିଧାନକୁ ସମ୍ମାନ ଜଣାଇ ଏହି ପରମ୍ପରା ବିରୋଧୀ କାର୍ଯ୍ୟକଳାପ ବନ୍ଦ କରନ୍ତୁ, ନଚେତ୍ ଇତିହାସ ଓ ଜଗନ୍ନାଥ ପ୍ରେମୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS