BREAKING
Loading...
:

୬୯ ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

 ୬୯ ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ 



୧୭ ବର୍ଷରୁ କମ୍ ବାଳିକା ଫୁଟବଲରେ ଯୋଗ ଦେବେ ୩୦ ଜିଲ୍ଲାର ପ୍ରତିଯୋଗୀ



ଭବାନୀପାଟଣା,-: ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ  ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ ଦ୍ଵାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆୟୋଜନ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,  ମୁଖ୍ୟବକ୍ତା ବିଶିଷ୍ଟ ବାଗ୍ମୀ ଡ. ଶିବପ୍ରସାଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରର ଯୁଗ୍ମ ନିର୍ଦ୍ଦେଶକ ପବିତ୍ରମୋହନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଯୁଗଳ ପୋଢ଼, ସାଂସଦ ପ୍ରତିନିଧି ଜୟଶଙ୍କର ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା ବାର୍ଷିକ ବିବରଣୀ ପଠନ କରିଥିଲେ। ଏ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦଙ୍କ ପୁସ୍ତକ ' ଲେସନ୍ ଫର୍ ଲାଇଫ ' ଉନ୍ମୋଚିତ ହୋଇଥିଲା। ଓଏଭି କେସିଙ୍ଗା ଓ ଭବାନୀପାଟଣାର ଛାତ୍ରଛାତ୍ରୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ତଳବେଲଗାଁ ହାଇସ୍କୁଲର ଛାତ୍ରଛାତ୍ରୀ ବିଦାୟୀ ସଙ୍ଗୀତ ଗାନ କରିଥିଲେ। ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ଫିଜିକାଲ୍ ଡିସ୍ପ୍ଲେ ପ୍ରଦର୍ଶନ କରିଥିଲେ। ଏ ଅବସରରେ ଫ୍ଲାଗ ମାର୍ଚ ଆଉ ଶପଥ ପାଠ ହୋଇଥିଲା। ଅପରାହ୍ନ ୩ ଘଣ୍ଟା ସମୟରେ ମା ମାଣିକେଶ୍ଵରୀ ମନ୍ଦିରରୁ ଏକ ମଶାଲ ଯାତ୍ରା ଆୟୋଜିତ ହୋଇଥିଲା। ଚାରିଦିନ ଧରି ଏହା ୦୨ ଡ଼ିସେମ୍ବରରୁ ୦୫ ତାରିଖ ଯାଏଁ ଆୟୋଜିତ ହେବ। ସମସ୍ତ ବାଳିକା ପ୍ରତିଯୋଗୀମାନଙ୍କ ମଧ୍ୟରେ ଫୁଟବଲ୍ ପ୍ରତିଯୋଗିତା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍, ସ୍ପୋର୍ଟସ ହଷ୍ଟେଲ ପଡିଆ ଓ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆଠାରେ ଜାରି ରହିବ । କାର୍ଯ୍ୟକ୍ରମରେ ରାଜ୍ୟ ଅଧିକାରୀ ନିରଞ୍ଜନ ଶତପଥୀ ଓ ସିଆରସିସି ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ। ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ତଥା ବିଶିଷ୍ଟ ଲୋକ କଳାକାର ସର୍ବେଶ୍ଵର ଭୋଇ ଓ ନୀଳାଞ୍ଚନ ପାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଆୟୋଜନ କମିଟିର ସଦସ୍ୟ ସଦସ୍ୟା, ଡିଇଓ ଏବଂ ଡିପିସି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS