ମଧ୍ଯାହ୍ନ ଭୋଜନ ନିମନ୍ତେ ହନ୍ତସନ୍ତ ହେଉଛନ୍ତି ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ
ଖଣ୍ଡପଡ଼ା ୨୩|୧୦ (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ ଅଧିନ ରୟତି ଢୋଲମରା ଗ୍ରାମସ୍ଥିତ ବାପୁଜୀ ବିଦ୍ୟାପୀଠରେ ଅଧ୍ୟୟନରତ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦୈନିକ ମଧ୍ଯାହ୍ନ ଭୋଜନ ଖାଇବା ନିମନ୍ତେ ହନ୍ତସନ୍ତ ହେଉଥିବା ବେଳେ ଏଥି ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମଧ୍ଯ ନାକେଦମ ହେବାକୁ ପଡୁଥିବା ଜଣାପଡିଛି।ପ୍ରକାଶଥାଉକି ବାପୁଜୀ ବିଦ୍ୟାପୀଠର ୨ଟି କ୍ୟାମ୍ପସ ରହିଛି। ୨ଟି କ୍ୟାମ୍ପସ ମଧ୍ଯରୁ କ୍ୟାମ୍ପସ ୧ ରେ ଥିବା ଶ୍ରେଣୀ ଗୃହରେ ୯ମ ଓ ୧୦ମ ଶ୍ରେଣୀରେ ୧୦୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ବିଦ୍ୟାଳୟର କ୍ୟାମ୍ପସ ୨ ରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୯ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବିଦ୍ୟାଳୟ କର୍ତୃପକ୍ଷଙ୍କ ସୁତ୍ରରୁ ଜଣାପଡିଛି।ବିଦ୍ୟାଳୟର କ୍ୟାମ୍ପସ ୨ ରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମଧ୍ଯାହ୍ନ ଭୋଜନ ଦୈନିକ ପ୍ରସ୍ତୁତ ହେଉଥିବା ବେଳେ କ୍ୟାମ୍ପସ ୧ ରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ମୁଖ୍ଯ ରାସ୍ତା ପାର ହୋଇ କ୍ୟାମ୍ପସ ୨ କୁ ମଧ୍ଯାହ୍ନ ଭୋଜନ ଖାଇବା ନିମନ୍ତେ ଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷତମାମ ଖରା,ବର୍ଷା,ଶୀତ କାକରରେ ପ୍ରାୟ ୩୦୦ ମିଟର ମୁଖ୍ୟ ରାସ୍ତାରେ ଚାଲିଚାଲି ଛାତ୍ରଛାତ୍ରୀମାନେ ମଧ୍ଯାହ୍ନଭୋଜନ ଖାଇବାକୁ ଯାଉଥିବାରୁ ବିଭିନ୍ନ ସମୟରେ ସମସ୍ଯା ସୃଷ୍ଟି ହେବା ସହ ଅଯଥା ସମୟର ଅପଚୟ ହେଉଛି।ଏ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ମୁଖ୍ଯ ରାସ୍ତାଦେଇ ଭାରିଯାନଗୁଡିକ ଚଳାଚଳ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି।ଅନୁଷ୍ଠାନର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ନାଏକଙ୍କୁ ଏ ସଂର୍ପକରେ ପଚାରିବାରେ ବିଦ୍ୟାଳୟ କ୍ୟାମ୍ପସ ୧ ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ଓ ଖାଇବା ନିମନ୍ତେ ସମସ୍ତ ପ୍ରକାର ବ୍ଯବସ୍ଥା ଥିଲେ ହେଁ ପାଚିକାଙ୍କ ଅଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି। କ୍ୟାମ୍ପସ ୨ ରେ ରୋଷେଇ ପାଇଁ ୪ଜଣ ପାଚିକା ସରକାରଙ୍କ ଦ୍ଵାରା ନିଯୁକ୍ତି ଦିଆଯାଇଛି । ଯଦି ଆଉ ଜଣେ ପାଚିକା ନିଯୁକ୍ତି ଦିଆଯାଏ ତେବେ କ୍ୟାମ୍ପସ ୨ ପାଇଁ ୩ ଜଣ ପାଚିକା ଓ କ୍ୟାମ୍ପସ ୧ ପାଇଁ ୨ ଜଣ ପାଚିକା ରୋଷେଇ କରିବାରେ ସମର୍ଥ ହୋଇ ପାରନ୍ତେ ବୋଲି ସେ କହିଛନ୍ତି।ତେଣୁ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସେଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି। ଉକ୍ତ ବିଦ୍ୟାଳୟର ଉଭୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମଧ୍ଯାନ୍ନ ଭୋଜନର ବ୍ଯବସ୍ଥା କରାଗଲେ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ଜଣାପଡିଛି। ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment