BREAKING
Loading...
:

ଗଣିଆ ବ୍ଳକକୁ ବିଡ଼ିଓ ହୋଇ ଆସିବାକୁ କେହି ରାଜି ହେଉନାହାଁନ୍ତି କାହିଁକି ? ବିଭାଗୀୟ ଅପାରଗତା ନା ରାଜନେତାଙ୍କ ଚାପ

 ଗଣିଆ ବ୍ଳକକୁ ବିଡ଼ିଓ ହୋଇ ଆସିବାକୁ କେହି ରାଜି ହେଉନାହାଁନ୍ତି କାହିଁକି ? ବିଭାଗୀୟ ଅପାରଗତା ନା ରାଜନେତାଙ୍କ ଚାପ

ଗଣିଆ (ମଣିଭଦ୍ରା ଖବର) ରାଜ୍ୟର ସବୁଠାରୁ ଛୋଟିଆ ବ୍ଳକ ଭାବେ ପରିଗଣିତ ଗଣିଆ ଯେଉଁ ବ୍ଳକ ମାତ୍ର ୮ଟି ପଞ୍ଚାୟତକୁ ନେଇ ଗଠିତ । ନୟାଗଡ଼ ଜିଲ୍ଲାର ସବୁଠାରୁ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଛି ଗଣିଆ । ୮ଟି ପଞ୍ଚାୟତ ହେଲେ ମଧ୍ୟ ଗଣିଆରେ ରାଜନୈତିକ ପଲ୍ଲା ସବୁବେଳେ ଭାରି । ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ବିଜୁଜନତା ଦଳର ଟାଣୁଆ ନେତା ଡ଼ ଅରୁଣ କୁମାର ସାହୁଙ୍କ ଘର ମଧ୍ୟ ଏହି ବ୍ଳକରେ । ଏପରିକି ଚଳିତ ନିର୍ବାଚନରେ କନ୍ଧମାଳ ସଂସଦୀୟ  କ୍ଷେତ୍ରରେ ବୃହତ ବିଜୟ ଲାଭ କରିଥିବା ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଘର ମଧ୍ୟ ଗଣିଆ ବ୍ଳକ ପତଣ୍ଡା ଗ୍ରାମରେ । ଗଣିଆରେ ସବୁବେଳେ ରାଜନୈତିକ ପାଣିପାଗ ଉଷ୍ମ ରହିଥାଏ ଏଥିରେ ସନ୍ଦେହ ନାହିଁ । ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳିଛି ଗଣିଆକୁ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେବାକୁ କେହି ବି ରାଜି ହେଉନାହାଁନ୍ତି । ସରକାରୀ ସ୍ତରରେ ବିଡ଼ିଓ ମାନଙ୍କର ଅଦଳବଦଳ ହେଉଥିବା ବେଳେ ସେମାନେ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି । ଗତ ଫେବୃୟାରୀ ୧୫ ତାରିଖରେ ସରକାରୀ ସ୍ତରରେ ବିଭିନ୍ନ ବିଡ଼ିଓଙ୍କ ଅଦଳବଦଳ କରଯାଇଥିବା ବେଳେ ଗଣିଆକୁ ନୂତନ ବିଡ଼ିଓ ଭାବେ ସାଗର ନନ୍ଦଙ୍କୁ ବଦଳି କରାଯାଇଥିଲା । ତେବେ ନିର୍ଦ୍ଦେଶନାମା ବାହାରିବାର ୨୦ ଦିନ ବିତିଯାଇଥିଲେ ମଧ୍ୟ ସେ ଗଣିଆରେ ଯୋଗ ଦେଲେନାହି । ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାରୀ ନିର୍ଦ୍ଦେଶନାମା ପରେ ବି ସେମାନେ କାର୍ଯ୍ୟରେ ଯୋଗ ନଦେବା ବିଭାଗୀୟ ଅପାରଗତା ନା ରାଜନୈତିକ ଚାପ ତାହା ଜଣାପଡୁନାହି । ସ୍ଥାୟୀ ବିଡ଼ିଓ ନଥିବାରୁ ତହସିଲଦାର ପ୍ରିତିବାଳା ରଣାଙ୍କୁ ବିଡ଼ିଓ ଦାୟିତ୍ବ ପ୍ରଦାନ କରାଯାଇଛି । ଜଣେ ଅଧିକାରୀ ବ୍ଳକର ୨ଟି ଦାୟିତ୍ବବାନ ପଦ ନେଇ ସମ୍ଭାଳିବା କେତେଦୂର ଯୁକ୍ତିଯୁକ୍ତ । ଯାହା ଫଳରେ ଗଣିଆରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି ଯାହାର ଜ୍ବଳନ୍ତ ଉଦାହରଣ ଗତ ସମିତି ବୈଠକରେ ଦେଖିବାକୁ ମିଳିଥିଲା । ଗଣିଆରେ ଏବେ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କାହା ସହିତ କାହାର ସମନ୍ବୟ ନଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଜଣେ ସ୍ଥାୟୀ ବିଡ଼ିଓ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS