BREAKING
Loading...
:

ବାଃ ବାଃରେ ସର୍ବଶିକ୍ଷା ଅଭିଯାନ ଶିକ୍ଷା ବର୍ଷର ୫ ମାସ ବିତିଲା, ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ

              ବାଃ ବାଃରେ ସର୍ବଶିକ୍ଷା ଅଭିଯାନ

ଶିକ୍ଷା ବର୍ଷର ୫ ମାସ ବିତିଲା, ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ 

ଗଣିଆ(ମଣିଭଦ୍ରା ଖବର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏପ୍ରିଲ ମାସକୁ ଶିକ୍ଷା ବର୍ଷ ଆରମ୍ଭ କରିବା ସହିତ ପ୍ରବେଶ ଉତ୍ସବ ପାଳନ କରାଗଲା । ବର୍ଷ ବର୍ଷ ଧରି ପିଲାମାନେ ପିନ୍ଧୁଥିଲା ୟୁନିଫର୍ମକୁ ପରିବର୍ତ୍ତନ କରି ନୂତନ ୟୁନିଫର୍ମ ପ୍ରଦାନ କରାଗଲା । ନୂଆ ପୋଷାକ ପିନ୍ଧି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ସ୍କୁଲ ଆସିବେ ବୋଲି ଅନେକ ଆଶା କରିଥିଲେ କିନ୍ତୁ ଏହି ଆଶା ଏବେ ଆଶାରେ ରହିଯାଇଛି । ଶିକ୍ଷା ବର୍ଷ ଆରମ୍ଭ ହେବାର ୫ ମାସ ବିତିଗଲା ହେଲେ ପୋଷାକ ମିଳିଲାନି । ଅନେକ ଛାତ୍ରଛାତ୍ରୀ ଚିରା ଫଟା ପୁରୁଣା ପୋଷାକ ପିନ୍ଧୁଥିବା ବେଳେ ନୂଆକରି ସ୍କୁଲ ଛାତ୍ର  ଛାତ୍ରୀ ବିନା ୟୁନିଫର୍ମରେ ଅଲଗା ପୋଷାକ ପିନ୍ଧି ସ୍କୁଲ ଯାଉଛନ୍ତି।  ୟୁନିଫର୍ମ  ଯୋଗାଣର ନିୟମ ବଦଳି ଯାଇଥିବାରୁ ପିଲାମାନଙ୍କୁ ୟୁନିଫର୍ମ ଯୋଗାଇବାରେ ଅବ୍ୟବସ୍ଥା ଦେଖାଦେଇଛି । ପୂର୍ବରୁ ଏହି ପୋଷାକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ମାଧ୍ୟମରେ ଚୟନ କରାଯାଇ ପୋଷାକ ବ୍ୟବସାୟୀଙ୍କ ଠାରୁ କିଣାଯାଇ ଯୋଗାଇ ଦିଆଯାଇ ଆସୁଥିବା ବେଳେ ଏବେ ନୂତନ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ କିଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଯାହା ଫଳରେ ୟୁନିଫର୍ମ ପାଇବାରେ ଅହେତୁକ ବିଳମ୍ବ ଦେଖା ଦେଇଛି । ଗଣିଆ ଶିକ୍ଷା ବିଭାଗରେ ୨୧ ଟି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଦୋକାନୀ ପୋଷାକ ସିଲେଇ କରିବାକୁ କୋଟେସନ ଦେଇଥିବା ବେଳେ ୭ ଜଣଙ୍କର କୋଟେସନକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ପଠାଯାଇଥିବା ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ସ୍ବୀକୃତି ମିଳିବା ପରେ ଆବେଦନ କରିଥିବା ୭ ଜଣଙ୍କୁ ପୋଷାକ ସିଲେଇ କରିବାକୁ ଅନୁମତି ମିଳିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । ଗଣିଆରେ ୫୧ଟି ବିଦ୍ୟାଳୟ ଥିବା ବେଳେ ୪୮ଟି ବିଦ୍ୟାଳୟର ୨୫୦୦ ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ ବୋଲିି ଜଣାପଡିଛି । ତେବେ ପୋଷାକ ନମିଳିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଅର୍ଥ ଅଭାବରୁ ଅନେକ ଗରୀବ ପରିବାରର  ଛାତ୍ର ଛାତ୍ରୀ ବଜାରରୁ ପୋଷାକ କିଣି ପାରୁନଥିବାରୁ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS