ନୁଆଁଖାଇ ପାଇଁ ସୁବର୍ଣ୍ଣପୁର ଉତ୍ସବମୁଖର
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ନୁଆଁଖାଇ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର l ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି l ଘଣ୍ଟ ଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଁ ସୁରେଶ୍ୱରୀ ଙ୍କ ମନ୍ଦିର l ନୁଆଁଖାଇ ଦିନ ସୁବର୍ଣ୍ଣପୁର ର ପାହୁର ଯାତ୍ରା ମୁଖ୍ୟ ଆକର୍ଷଣ ହୋଇଥାଏ l ସୁବର୍ଣ୍ଣପୁର ଜିଲ୍ଲାରେ ଗାଁ ଗହଳି ଠାରୁଆରମ୍ଭ କରି ସହରାଞ୍ଚଳ ରେ ନୁଆଁଖାଇ ପାଳନ କରାଯାଇଛି l ପରମ୍ପରା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ କେତେକ ଗାଁ ରେ ଥିବା ଇଷ୍ଟଦେବୀ ଙ୍କୁ ପୂଜା ପରେ କୁରେଇ, ଶାଳ, ଭେଲୁଆ ପତ୍ର ରେ ନବାନ୍ନ ଭକ୍ଷଣ କରିଛନ୍ତି l ନୁଆଁଖାଇ ପରେ ଗୁରୁଜନ ମାନଙ୍କୁ ସାନ ମାନେ ମୁଣ୍ଡିଆମାରିବା ବା ଜୁହାର କରିବା ପରମ୍ପରା ରହିଛି l ନୁଆଁଖାଇ ହେଉଛି ପଶ୍ଚିମ ଓଡିଶା ର ମହାନ ଗଣପର୍ବ l ଏହି ଦିନ ପରିବାରରେ ସମସ୍ତେ ଏକାଠି ହୋଇଥାନ୍ତି l ଯିଏ ଯେଉଁଠି ଥାଉନା କାହିଁକି l ନୁଆଁଖାଇ ପାଇଁ ସ୍ୱତନ୍ତ୍ର ବଜାର ବସିଥାଏ l କିଣା ବିକା ପାଇଁ ପ୍ରବଳ ଗହଳି ମଧ୍ୟ ହୋଇଥାଏ l ନୁଆଁଖାଇ ରେ ଆଉ ଏକ ଭାଇଚାରା ର ପରମ୍ପରା ହେଲା ବେଭାର ଆଦାନ ପ୍ରଦାନ l ମଇତ୍ର ଘରକୁ ନୁଆଁଖାଇ ଗୋଟେ ଦିନ ଆଗରୁ ବେଭାର ଦିଆଯାଇଥାଏ l ବେଭାର ରେ ପନିପରିବା, ଡାଲି, ଚାଉଳ, ଗୁଡ଼ ବା ଚିନି, ଅଟା, ସୁଜି ଇତ୍ୟାଦି ଦିଆଯାଇଥାଏ l ଉଭୟ ପକ୍ଷରୁ ଏହା ଆଦାନ ପ୍ରଦାନ ହୋଇଥାଏ l
ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି । ନୂଆଁଖାଇରେ ଖାଲି ଯେ ଅନ୍ୟବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ ।ଆଉ ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣୀଙ୍କ ପାଖରେ ଲାଗିଥାଏ ।ସୁବର୍ଣ୍ଣପୁର ରେ ପାହୁର ପରମ୍ପରା ଉପରେ ଆମର ସ୍ବତନ୍ତ୍ର ରିପୋର୍ଟ ।ସୋନପୁର ଗଡଜାତର ରାଜା ମହାରାଜାମାନେ ପାହୁର ପରି ଏକ ସ୍ୱତନ୍ତ୍ର ପରମ୍ପରା ଆରମ୍ଭ କରି ଯାଇଛନ୍ତି ନୂଆଁଖାଇ ପାଇଁ ।ରାଜୁଡା ଅମଳର ଏହି ପାହୁର କିନ୍ତୁ ଆଜି ବି ମଳିନ ପଡି ନାହିଁ ।ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗଖଞ୍ଜା କରାଯାଏ ।ମାଁ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଥାନ୍ତି ।ଶହ ଶହ ବର୍ଷ ହେଲା ଏହି ପାହୁର ଯାତ୍ରା ବଡ ଜାକଜମକରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ପାଇଁ କେବଳ ନିର୍ଦ୍ଦିଷ୍ଟ ରିତୀ ନିତୀରେ ପାଳିତ ହୋଇଛି । ପାହୁରରେ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ପନିପରିବ, ପୀଠାପଣା ପାଇଁ ସାମଗ୍ରୀ ସହିତ ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଇଛି ରାଜୁଡା ଅମଳରୁ ।ପ୍ରତିବର୍ଷ ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟ ବଜାଇ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ସମଲେଶ୍ୱରୀ ପୀଠରୁ ଅଷ୍ଟଚଣ୍ଡୀ ଓ ହନୁମାନଙ୍କ ଯାଇଥାଏ ।ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତ ତଥା ଶୋଭାଯାତ୍ରାରେ ଏହି ପାହୁର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ଦେବୀଙ୍କ ପାଖରେ ଏସବୁର ଭୋଗ ପ୍ରସ୍ତୁତ ହୋଇ ଲାଗିବା ପରେ ସୋନପୁର ଗଡଜାତର ତଥା ବୌଦ୍ଧର ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରିଛନ୍ତି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment