BREAKING
Loading...
:

ଟେଷ୍ଟ୍ ଅଧିନାୟକ ଭାବେ ରୋହିତ କରିବେ ପଦାର୍ପଣ


 ମୋହାଲି: ଶୁକ୍ରବାରଠାରୁ ମୋହାଲିର ପଞ୍ଜାବ କ୍ରି‌କେଟ୍ ସଂଘ (ପିସିଏ) ପଡ଼ିଆରେ ଭାରତ-ଶ୍ରୀଲଙ୍କା ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କର ଏହା ଶତକୀୟ ଟେଷ୍ଟ୍ ହେବ। ସେହିଭଳି ପୂର୍ଣ୍ଣକାଳୀନ ‌ଟେଷ୍ଟ୍ ଅଧିନାୟକ ନିଯୁକ୍ତ ହେବା ପରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କର ଅଧିନାୟକ ଭାବେ ଏହା ପ୍ରଥମ ମ୍ୟାଚ୍ ହେବ। ସେହିଦୃଷ୍ଟିରୁ ଭାରତ ପାଇଁ ଏହା ମାଇଲଖୁଣ୍ଟ ମ୍ୟାଚ୍‌ର ମାନ୍ୟତା ଲାଭ କରିଛି। ଏହାକୁ ସ୍ବତନ୍ତ୍ର ତଥା ସ୍ମରଣୀୟ କରିବା ଲାଗି ଭାରତୀୟ ଖେଳାଳିମା‌ନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ତେବେ ଭାରତୀୟ ଦଳର କ୍ରମ ଓ ଗଠନକୁ ନେଇ ଏବେ ବି ସଂଶୟ ଜାରି ରହିଛି। ଦୁଇ ବରିଷ୍ଠ ଖେଳାଳି ଚେତେଶ୍ବର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ଏହି ଶୃଙ୍ଖଳାରୁ ବାଦ୍‌ ପଡ଼ିସାରିଛନ୍ତି।ଏଣୁ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ସ୍ଥାନ କିଏ ନେବ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ସମ୍ଭବତଃ ଯୁବ ତାରକା ଶୁଭମନ୍ ଗିଲ୍ ଏବଂ ଅଲରାଉଣ୍ଡର ହନୁମା ବିହାରୀ ଏମାନଙ୍କ ସ୍ଥାନ ନେବେ। ଶ୍ରେୟସ୍ ଆୟର ମଧ୍ୟ ଚୂଡ଼ାନ୍ତ ଦଳରେ ସାମିଲ ହେବା ଦୌଡ଼ରେ ରହିବେ। ରୋହିତ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବା ପରେ ଗିଲ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଗିଲ୍ ତୃତୀୟ ସ୍ଥାନରେ ଖେଳିବା ପାଇଁ ହକ୍‌ଦାର ବୋଲି ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଭାରତୀୟ ଓପନର ଦେବାଙ୍ଗ ଗାନ୍ଧୀ କହିଛନ୍ତି। ଭାରତୀୟ ସମ୍ଭାବ୍ୟ ଦଳରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ରହିବାର ବି ଯଥେଷ୍ଟ ସମ୍ଭାବନା ରହିଛି।‘‘୧୦୦ ଟେଷ୍ଟ୍ ଖେଳିବା ଏକ ବଡ଼ ସଫଳତା। କୋହଲିଙ୍କ ପାଇଁ ଏହି ଅନୁଭୂତି ନିଆରା ଅଭିଜ୍ଞତା ନେଇ ଆସିବ। ଆମେ ସମସ୍ତେ ଜାଣିଛେ ସେ ଜଣେ ମହାନ ଖେଳାଳି। କେବଳ ଟେଷ୍ଟ୍‌ ନୁହେଁ କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ସେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ବହୁ ଖେଳାଳି ୧୦୦ ଟେଷ୍ଟ୍ ଖେଳିଛନ୍ତି।ହେଲେ ସେଥିରେ ଶତକ ମାରିବାର ସୌଭାଗ୍ୟ ବହୁତ କମ୍ ଖେଳାଳିଙ୍କୁ ମିଳିଛି। ମୋ ଶତକୀୟ ମ୍ୟାଚ୍‌ରେ ମୁଁ ୪୮ ରନ୍‌ରେ ଆଉଟ୍ ହୋଇଯାଇଥିଲି। କୋହଲି କିନ୍ତୁ ନିଜ ଶତକୀୟ ଟେଷ୍ଟ୍‌ରେ ଶତକ ହାସଲ କରି ଏହାକୁ ସ୍ମରଣୀୟ କରିବେ ବୋଲି ଆଶା କରୁଛିା’’ ଏଭଳି ମନ୍ତବ୍ୟ ଦେଇଛନ୍ତି ମହାନ ଭାରତୀୟ ବ୍ୟାଟର୍‌ ସୁନିଲ ଗାଭାସ୍କର। ସୂଚନାଯୋଗ୍ୟ ଯେ ମୋହାଲିରେ କୋହଲି ଦ୍ବାଦଶ ଭାରତୀୟ ଭାବେ ୧୦୦ ଟେଷ୍ଟ୍ ଖେଳିବେ। ତାଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୨୦୦), ରାହୁଲ ଦ୍ରାବିଡ଼ (୧୬୩), ଭିଭିଏସ୍ ଲକ୍ଷ୍ମଣ (୧୩୪), ଅନିଲ କୁମ୍ବଲେ (୧୩୨), କପିଳ ଦେବ (୧୩୧), ସୁନିଲ ଗାଭାସ୍କର (୧୨୫), ଦିଲୀପ ଭେଙ୍ଗସରକାର (୧୧୬), ସୌରଭ ଗାଙ୍ଗୁଲି (୧୧୩), ଈଶାନ୍ତ ଶର୍ମା (୧୦୫), ହରଭଜନ ସିଂହ (୧୦୩) ଏବଂ ବୀରେନ୍ଦ୍ର ସେହବାଗ (୧୦୩) ଶତକୀୟ ମାଇଲଖୁଣ୍ଟ ଟପି ସାରିଛନ୍ତି।

Post a Comment

Previous Post Next Post
Header ADS