BREAKING
Loading...
:

କାଠ ପୋଲରେ ବିପଦସଙ୍କୁଳ ଯାତାୟାତ ରେ ବନ୍ଧା ପଡ଼ିଛି ୧୦ ରୁ ଉର୍ଦ୍ଧ୍ବ ଗାଁର ଭାଗ୍ୟ...

 କାଠ ପୋଲରେ ବିପଦସଙ୍କୁଳ ଯାତାୟାତ ରେ ବନ୍ଧା ପଡ଼ିଛି ୧୦ ରୁ ଉର୍ଦ୍ଧ୍ବ ଗାଁର ଭାଗ୍ୟ...



କନ୍ଧମାଳ:-


ସ୍ବାଧିନତାର ଦୀର୍ଘ ବର୍ଷ ପରେ ଦେଶ ଯେତେବେଳେ ବିକାଶର ନୂଆ ନୂଆ ସୋପାନ ଅତିକ୍ରମ କରିବାର ଡିଣ୍ଡିମ୍ ପିଟୁଛି, ସେତେବେଳେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ଭାଗ୍ୟ ଅଟକି ରହିଛି ଗୋଟିଏ କାଠ ପୋଲ ଉପରେ। ସରକାରଙ୍କ ବିକାଶର ଚକ ରାଜପଥରେ ପଢ଼ୁଥିବା ବେଳେ ତୁମୁଡ଼ିବନ୍ଧ ବ୍ଳକ ଓ କୋଟଗଡ଼ ବ୍ଳକର ସୀମାନ୍ତରେ ରହିଥିବା ଦୁର୍ଗାପଙ୍ଗା ଓ ଗୁମା ପଞ୍ଚାୟତ ଅନ୍ତର୍ଗତ ଡ଼ିମିଲି,ଭାଲୁଗୁଡ଼ା,ବାଡ଼ିପାଙ୍ଗା, ଲିଡ୍ରାଙ୍ଗ,କାଣିବାରୁ , ଗୋଲାମ ପଙ୍ଗା ୧୦ ରୁ ଉର୍ଦ୍ଧ୍ବ ଗାଁର ଲୋକେ ଆଜି ବି ନାଳ ଉପରେ କାଠ ପକାଇ ଜୀବନ ର ରାସ୍ତା ଖୋଜୁଛନ୍ତି।ଏମିତି ଅନେକ ଆଦିବାସୀ ଅଧ୍ୟୁଷିତ ଗାଁ ରହିଛି। ପାହାଡ଼ ପର୍ବତ ଘେରା ହାତୀ,ବାଘ,ଭାଲୁ, ହିଁସ୍ରଜନ୍ତୁ ଶରୀସୃପ ରହୁଥିବା ଜଙ୍ଗଲ ରେ ୮୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ପରିବାର ବସବାସ କରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାର ସହିତ ପ୍ରଶାସନ ଜାଣି, ଶୁଣି ଚୁପ୍ କାହିଁକି,ନା ଅଛି ବିଶୁଦ୍ଧ ପାନୀୟ ଜଳ,ନା ଅଛି ବିଜୁଳି ଆଲୁଅ,ନା ଅଛି ଭଲ ରାସ୍ତା ।ବୋଧହୁଏ ଏହି ଅଞ୍ଚଳର ବିକାଶ ପାଇଁ ସରକାରୀ ଯୋଜନାରେ ପୋଲ ବଦଳରେ କାଠ ଗଣ୍ଡିକୁ ହିଁ ଯୋଗ୍ୟ ମନେ କରା ଯାଇଛି। ନଚେତ୍ ବର୍ଷ ବର୍ଷ ଧରି ଲୋକଙ୍କ ଦୁର୍ଦ୍ଦଶା ଜାଣି ମଧ୍ୟ କାହିଁକି ନିରବ ପ୍ରଶାସନ ? ନିର୍ବାଚନ ଆସିଲେ ଗାଁ ଗାଁ ରେ ପ୍ରତିଶ୍ରୁତିର ବର୍ଷା ହୁଏ , କିନ୍ତୁ ବାସ୍ତବ ବର୍ଷା ହେଲେ ଲୋକଙ୍କ ଦୁଃଖ ଦୁଇଗୁଣ ହୋଇଯାଏ।ନାଳରେ ପାଣି ବଢ଼ିଲେ ଯୋଗାଯୋଗ ବିଚ୍ଛିନ୍ନ,ଆଉ ଜୀବନ ର ଗତିପଥ ଅନ୍ଧକାରମୟ। ଅଙ୍ଗନୱାଡ଼ି କେନ୍ଦ୍ର,ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ଯିବା ପାଇଁ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ବିପଦସଙ୍କୁଳ ନାଳ ପାର ହେବାକୁ ପଡ଼ୁଛି। ଏହା କେବଳ ଯାତାୟାତର ସମସ୍ୟା ନୁହେଁ। ଏହା ମଣିଷର ମୌଳିକ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ ଓ ସମ୍ମାନର ସହ ବଞ୍ଚିବାର ପ୍ରଶ୍ନ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଅଞ୍ଚଳବାସୀ ଧୌର୍ଯ୍ୟର ବନ୍ଧ ଭାଙ୍ଗିବାକୁ ବସିଛି। ଏବେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ ବର୍ଜନ କରିବାର କଡ଼ା ଚେତାବନୀ ଦେଇଛନ୍ତି।ପ୍ରଶ୍ନ ଉଠୁଛି ଜନତାଙ୍କ ଭୋଟରେ କ୍ଷମତାର ସିଂହାସନ ମଜବୁତ ହେଉଥିବା ବେଳେ ସେହି ଜନତାଙ୍କ ଦୁଃଖ ଉପରେ ପ୍ରଶାସନର ଦୃଷ୍ଟି କାହିଁକି ପଡ଼ୁନାହିଁ। ଲୋକଙ୍କୁ ଆଉ ପ୍ରତିଶ୍ରୁତିର ପୋଲ ନୁହେଁ,ନାଳ ଉପରେ ଦରକାର ଏକ ସ୍ଥାୟୀ ପୋଲ ଓ ଗାଁ କୁ ଭଲ ରାସ୍ତା। ନଚେତ୍ ବିକାଶର ନାରା କେବଳ ଭାଷଣରେ ସୀମିତ ରହିବ,ଆଉ ଆଦିବାସୀ ଙ୍କ ଜୀବନ କାଠ ପୋଲର ବିପଦ ଉପରେ ଝୁଲୁଥିବ ? ଏବେ ଦେଖିବାକୁ ବାକି ରହିଲା, ଲୋକଙ୍କ ଦୁଃଖ ପ୍ରଶାସନର କାନରେ ପହଞ୍ଚୁଛି ନା  ପୁଣି ଥରେ କାଠ ପୋଲ ହିଁ ଏହି ଅଞ୍ଚଳର ବିକାଶର ଏକମାତ୍ର ସାକ୍ଷୀ ହୋଇ ରହିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS