BREAKING
Loading...
:

ବାତ୍ୟା ପ୍ରଭାବରେ ଧାନ ଫସଲ କ୍ଷତି

 *ବାତ୍ୟା ପ୍ରଭାବରେ ଧାନ ଫସଲ କ୍ଷତି*



 *କ୍ଷତିଗ୍ରସ୍ତ ଜମିର ଚାଲିଛି ଆକଳନ, ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନର ପଦକ୍ଷେପ*


ମାଲକାନଗିରି, ତା ୨୯/୧୦ (ସତ୍ୟ ନାରାୟଣ ଦାଶ)ବାତ୍ୟା ଅର୍ଣ୍ଣବର ପ୍ରଭାବରେ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ପବନ ଯୋଗୁଁ ଅନେକ ସ୍ଥାନରେ ଧାନ ଗଛ ମାଟିରେ ଶୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଅନ୍ୟପକ୍ଷରେ, କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମାଲକାନଗିରି ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ଏମ୍ଭି ୯ ଗ୍ରାମକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରାଯାଇ ପ୍ରାଥମିକ ଆକଳନ କରାଯାଇଛି। ବିଶେଷକରି ଅଧିକ ଦିନରେ ପାଚୁଥିବା ଧାନ କିସମର କେତେକ ଫସଲ ପବନ ଯୋଗୁଁ ମାଟିରେ ଶୋଇପଡ଼ିଛି। ତେବେ ପ୍ରାଥମିକ ଆକଳନ ଅନୁଯାୟୀ, ଏହି ପ୍ରକାରର କ୍ଷତି ସବୁ ଅଞ୍ଚଳରେ ସମାନ ନୁହେଁ। କେତେକ ସ୍ଥାନରେ ଧାନ ଗଛ ଶୋଇପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ କ୍ଷୟକ୍ଷତିର ପରିମାଣ କମ୍ ରହିଛି। ଏହି କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ପାଇଁ ରାଜସ୍ୱ ବିଭାଗ ଓ କୃଷି ବିଭାଗର ମିଳିତ ଯାଞ୍ଚ କରାଯିବ। ଏହାପରେ ପ୍ରସ୍ତୁତ ହେବାକୁ ଥିବା ଚୂଡ଼ାନ୍ତ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରହରାଜ ସୂଚନା ଦେଇଛନ୍ତି।

ଚାଷୀମାନେ ଫସଲ ବୀମା କରିଥିଲେ ବୀମା ନିୟମ ଅନୁଯାୟୀ ଅର୍ଥରାଶି ପାଇପାରିବେ। ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ। କୃଷି ବିଭାଗ ପକ୍ଷରୁ ଇନ୍‌ପୁଟ୍‌ ସବ୍‌ସିଡି ଓ ବିହନ ଯୋଗାଣ ଭଳି ସହାୟତା ଦେବାକୁ ମଧ୍ୟ ବ୍ୟବସ୍ଥା ରହିଥିବା କହିଛନ୍ତି। ଯେଉଁ ଅଞ୍ଚଳରେ ଜଳସେଚନର ସୁବିଧା ରହିଛି, ସେଠାରେ ଆବଶ୍ୟକ ପଦକ୍ଷେପ ନେଇ ଫସଲର କ୍ଷତିକୁ ଯଥାସମ୍ଭବ କମାଇବାକୁ ଚେଷ୍ଟା କରାଯିବ। ଚାଷୀଙ୍କ କ୍ଷୟକ୍ଷତିର ଠିକ୍ ଆକଳନ କରି ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ସହାୟତା ପ୍ରଦାନ କରିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ରହିଛି।

ମଣିଭଦ୍ରା ଖବର, ମାଲକାନଗିରି 

Post a Comment

Previous Post Next Post
Header ADS