ମନ୍ଦିର ସମ୍ପତ୍ତିର ମାଲିକ ଇଶ୍ୱର, ସରକାର ନୁହେଁ; ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
ମନ୍ଦିରର ସମ୍ପତ୍ତି ଉପରେ କାହାର ଅଧିକାର , ଏହାର ମାଲିକ କିଏ ? ମନ୍ଦିର ସମ୍ପତ୍ତିକୁ ସରକାର ନିଜ ଇଚ୍ଛାରେ ବ୍ୟବହାର କରିପାରିବେ କି ? ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମନ୍ଦିରକୁ ଦାନ ଆକାରରେ ମିଳିଥିବା ସମ୍ପତ୍ତିର ମାଲିକ ଦେବତା ଏବଂ ଏହାକୁ ସରକାରଙ୍କ ସମ୍ପତ୍ତି ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଏଥିସହ ତାମିଲନାଡୁର ଏକ ମନ୍ଦିର ଜମିକୁ ସରକାରଙ୍କୁ ଉପହାର ଦେବା ପାଇଁ କରାଯାଇଥିବା ଦଲିଲକୁ ଅବୈଧ ଘୋଷଣା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ମନ୍ଦିର ସମ୍ପତ୍ତିର ମାଲିକାନା, ସଂରକ୍ଷଣ ଏବଂ ସରକାରଙ୍କ ନିୟନ୍ତ୍ରଣ ସମ୍ପର୍କରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଦିଗ ଉପରେ ଆଲୋକପାତ କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ଦାନ ଆକାରରେ ଦେବତାଙ୍କୁ ସମର୍ପିତ ସମ୍ପତ୍ତି ଦାନଦାତା, ପୂଜାରୀ, ଟ୍ରଷ୍ଟି କିମ୍ବା ସରକାରଙ୍କର ହୋଇ ରହେ ନାହିଁ । ଏହା ଦେବତାଙ୍କ ନାମରେ ନ୍ୟସ୍ତ ହୋଇଥାଏ । ଏହି ସମ୍ପତ୍ତିର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଦାୟିତ୍ୱ ହେଉଛି ଏହାକୁ ମନ୍ଦିର ଓ ଦେବତାଙ୍କ ସ୍ୱାର୍ଥରେ ସୁରକ୍ଷିତ ରଖିବା । ମନ୍ଦିର ସମ୍ପତ୍ତିର ପରିଚାଳନା କରୁଥିବା ବ୍ୟକ୍ତି ଏହାର ମାଲିକ ହୋଇଯାଆନ୍ତି ନାହିଁ । ଟ୍ରଷ୍ଟି ନିଜ ପଦବୀର ଅପବ୍ୟବହାର କରି ମନ୍ଦିର ସମ୍ପତ୍ତିକୁ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସରକାରଙ୍କୁ ମନଇଚ୍ଛା ହସ୍ତାନ୍ତର କରିପାରିବେ ନାହିଁ ।
ମନ୍ଦିର ସମ୍ପତ୍ତିର ପ୍ରଶାସନିକ ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱ ସରକାରଙ୍କ ପାଖରେ ଥିଲେ ମଧ୍ୟ ଏହାଦ୍ୱାରା ସରକାର ସମ୍ପତ୍ତିର ମାଲିକ ହୋଇଯାଆନ୍ତି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଦାୟିତ୍ୱ ହେଉଛି ମନ୍ଦିର ସମ୍ପତ୍ତିର ସୁରକ୍ଷା ଓ ସଠିକ୍ ପରିଚାଳନା ସୁନିଶ୍ଚିତ କରିବା । ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମିର ଆବଶ୍ୟକତା ଥିବା ଦର୍ଶାଇ ମନ୍ଦିର ଜମିକୁ ମାଗଣାରେ ହସ୍ତାନ୍ତର କରିବା ଆଇନଗତ ଭାବେ ଠିକ୍ ନୁହେଁ । ସାଧାରଣ ଉଦ୍ଦେଶ୍ୟ ପାଇଁ ଜମିର ଆବଶ୍ୟକତା ଥିଲେ ମଧ୍ୟ ଆଇନ ବିରୋଧୀ ହସ୍ତାନ୍ତରକୁ ବୈଧ କରାଯାଇପାରିବ ନାହିଁ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق