ବିକାଶ ଅପହଞ୍ଚ:ରାସ୍ତା ଓ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ..
ମୌଳିକ ସୁବିଧାରୁ ବଞ୍ଚିତ ଅଲାପିଲୁ ଗ୍ରାମବାସୀ: ରାସ୍ତା ନାହିଁ ତ ଭୋଟ ନାହିଁ, ଚେତାବନୀ ଦେଲେ ଗ୍ରାମବାସୀ ..l
କନ୍ଧମାଳ:-
ଦେଶ ସ୍ୱାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମାଞ୍ଚଳର ବିକାଶର ଚିତ୍ର ଅଧୁରା ହୋଇ ରହି ଯାଇଛି। ଏହାର ଏକ ଜ୍ୱଳନ୍ତା ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୀଢ଼ୋଡ଼ମା ୩ ନମ୍ବର ୱାର୍ଡର ଅଲାପିଲୁ ଓ ପଟାଗୁଡ଼ି ଗାଁ। ଆଜି ବି ଏହି ଦୁଇ ଗ୍ରାମର ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଭଳି କୌଣସି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି।
ସୂଚନା ଅନୁଯାୟୀ, ଅଲାପିଲୁ ଓ ପଟାଗୁଡ଼ି ଗ୍ରାମରେ ୪୫ରୁ ଅଧିକ ପରିବାରର ପ୍ରାୟ ୫୦୦ ଲୋକ ବସବାସ କରୁଛନ୍ତି। ହାତୀମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟଠାରୁ କସବସା ଦେଇ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଅଞ୍ଚଳକୁ ଯିବାଆସିବା ପାଇଁ ଘାଟି ରାସ୍ତା ଓ ଯାତାୟାତର ଅସୁବିଧା ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଭଲ ରାସ୍ତା ନଥିବାରୁ ଦୈନନ୍ଦିନ ଯାତାୟାତଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି।
କେବଳ ରାସ୍ତା ନୁହେଁ, ପାନୀୟ ଜଳ ସମସ୍ୟା ମଧ୍ୟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଛି। ନିୟମିତ ଓ ସୁବିଧାଜନକ ଭାବେ ପାଣି ମିଳୁନଥିବାରୁ ମୌଳିକ ଆବଶ୍ୟକତା ପୂରଣ କରିବାରେ ଲୋକେ ହଇରାଣ ହେଉଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ଏହି ଦୁଇ ଗ୍ରାମରେ ମୌଳିକ ସୁବିଧାର ଅଭାବ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ହାତୀମୁଣ୍ଡା, ବିଜାଲି, ବୁଜୁଲି, ଦାଦ୍ରେଡ଼ି, ଗାଇଏଜୁ, କସବସା, ପୀଢ଼ୋଡ଼ମା ଓ ତାମାଙ୍ଗି ଭଳି ୮ଟି ରାଜସ୍ୱ ଗ୍ରାମ ରହିଛି। ଏହି ପଞ୍ଚାୟତର ସମସ୍ତ ଅଞ୍ଚଳରେ ସମାନ ଭାବେ ବିକାଶମୂଳକ କାର୍ଯ୍ୟ ପହଞ୍ଚିବା ଆବଶ୍ୟକ। ମାତ୍ର ଅଲାପିଲୁ ଓ ପଟାଗୁଡ଼ି ଗ୍ରାମର ଦୁରବସ୍ଥା ଦେଖିଲେ ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ର ନେଇ ପ୍ରଶ୍ନ ଉଠୁଛି।
ତେଣୁ ଅଲାପିଲୁ ଓ ପଟାଗୁଡ଼ି ଗ୍ରାମକୁ ଉନ୍ନତ ରାସ୍ତା ନିର୍ମାଣ କରିବା ସହ ନିୟମିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ଦୀର୍ଘଦିନର ସମସ୍ୟାର ସମାଧାନ କରିବା ଦିଗରେ ପ୍ରଶାସନ ଓ ଜନପ୍ରତିନିଧିମାନେ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ବିକାଶ କେବଳ କାଗଜପତ୍ର ଓ ଘୋଷଣାରେ ସୀମିତ ନରହି ଗାଁର ରାସ୍ତା, ପାଣି ଓ ଲୋକଙ୍କ ଜୀବନରେ ପ୍ରତିଫଳିତ ହେଲେ ହିଁ ସ୍ୱାଧୀନତାର ପ୍ରକୃତ ଅର୍ଥ ସାର୍ଥକ ହେବ। ଏବେ ଅପେକ୍ଷା, କେବେ ଏହି ଦୁଇ ଗ୍ରାମରେ ପହଞ୍ଚିବ ବିକାଶର ଆଲୋକ?
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق