BREAKING
Loading...
:

ସୋସିଆଲ ମିଡିଆରେ ନାବାଳକଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ GUCର ସ୍ୱାଗତ

 ସୋସିଆଲ ମିଡିଆରେ ନାବାଳକଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ GUCର ସ୍ୱାଗତ


ଗଣିଆ ଉନ୍ନୟନ କମିଟି (GUC) ନୟାଗଡ଼ ଜିଲ୍ଲାରେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମଗୁଡ଼ିକ ନାବାଳକଙ୍କ ସମ୍ପର୍କିତ ଭାରତୀୟ ଆଇନକୁ ପାଳନ କରିବା ଏବଂ ୧୮ ବର୍ଷ ବୟସ ପୂର୍ବରୁ ନିଜସ୍ୱ ଭାବେ ଏପରି ପ୍ଲାଟଫର୍ମ ସହ ଚୁକ୍ତି କରିବାର ବିଷୟକୁ ଆଇନଗତ ଢାଞ୍ଚା ମଧ୍ୟରେ ଆଣିବାର ସମ୍ଭାବନା ଯାଞ୍ଚ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଗଣିଆ ଉନ୍ନୟନ କମିଟି ସ୍ୱାଗତ କରିଛି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଅନଲାଇନରେ ଶିଶୁଙ୍କ ସୁରକ୍ଷା ପାଇଁ ଏହି ବିକାଶର ଦୂରଗାମୀ ପ୍ରଭାବ ରହିପାରେ ।  ବର୍ତ୍ତମାନ ଶିଶୁମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଥିବାରୁ ସେମାନେ ଅନଲାଇନ୍ ଯୌନ ଶୋଷଣ, ଗ୍ରୁମିଂ, ମାନବ ଚାଲାଣ, ସେକ୍ସଟର୍ସନ୍ ଏବଂ ସାଇବର ବୁଲିଂ ଭଳି ବିଭିନ୍ନ ବିପଦର ସମ୍ମୁଖୀନ ହେଉଛନ୍ତି।

 

ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ମତ ଭାରତୀୟ ଆଇନ ଅଧୀନରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଉତ୍ତରଦାୟୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । 

ସେ କହିଛନ୍ତି, “ଆଜିର ଦିନରେ ଶିଶୁମାନେ ନିଜ ଜୀବନର ଏକ ବଡ଼ ସମୟ ଅନଲାଇନରେ ବିତାଉଛନ୍ତି। ଅନେକ ସମୟରେ ସେମାନେ ଅନଲାଇନରେ ଥିବା ବିପଦକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ସୋସିଆଲ ମିଡିଆର ଅତ୍ୟଧିକ ଏବଂ ନିରୀକ୍ଷଣ ବିହୀନ ବ୍ୟବହାର ଶିଶୁମାନଙ୍କୁ ଗ୍ରୁମିଂ, ଯୌନ ଶୋଷଣ ଏବଂ ଅନ୍ୟାନ୍ୟ ଶୋଷଣର ଶିକାର କରିପାରେ। ଏହି ବିପଦ କେବଳ ଅନଲାଇନ୍ ପରଦା ମଧ୍ୟରେ ସୀମିତ ରହେ ନାହିଁ। ଶିଶୁମାନଙ୍କୁ ଟାର୍ଗେଟ୍ କରାଯାଇ, ପ୍ରଭାବିତ କରାଯାଇ ଶେଷରେ ଯୌନ ଶୋଷଣ ଓ ମାନବ ଚାଲାଣ ଭଳି ପରିସ୍ଥିତିକୁ ଠେଲି ଦିଆଯାଇପାରେ। ତେଣୁ ଡିଜିଟାଲ ପ୍ଲାଟଫର୍ମ ପାଇଁ ଅଧିକ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ଓ ଉତ୍ତରଦାୟିତ୍ୱ ଅତ୍ୟନ୍ତ ଆବଶ୍ୟକ।”

ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ ଆଲାଏନ୍ସ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ନାବାଳକମାନେ ଡିଜିଟାଲ ପ୍ଲାଟଫର୍ମରେ ସ୍ୱାଧୀନ ଭାବେ ଆକାଉଣ୍ଟ ଖୋଲିବା ଓ ପରିଚାଳନା କରିବା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ବର୍ତ୍ତମାନର ଆଇନ ଅନୁଯାୟୀ ଏପରି ଚୁକ୍ତିର ବୈଧତା ନେଇ ପ୍ରଶ୍ନ ରହିଥିବା ସତ୍ତ୍ୱେ ନାବାଳକମାନେ ଏହି ପ୍ଲାଟଫର୍ମଗୁଡ଼ିକରେ ଆକାଉଣ୍ଟ ଖୋଲୁଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସରକାର ଏହି ମାମଲାକୁ ଯାଞ୍ଚ କରିବେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS