୬ ମାସ ହେଲା ଅଚଳ ନଳକୂପ, ଚୁଆ ପାଣି ଭରସାରେ ୬ ପରିବାର.
• ପାଣି ପାଇଁ ହାହାକାର,ପ୍ରଶାସନର ପ୍ରତିଶ୍ରୁତିରେ ସୀମିତ ସମାଧାନ.।
ଲାଞ୍ଜିଗଡ଼,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଚକା ଗ୍ରାମର କୁମ୍ ପଡ଼ାରେ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଅଚଳ ହୋଇ ପଡ଼ିଛି ଏକମାତ୍ର ନଳକୂପ। ଫଳରେ ପଡ଼ାର ପ୍ରାୟ ୬ଟି ପରିବାରର ୧୫ରୁ ଊର୍ଦ୍ଧ୍ୱ ଲୋକ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ନଳକୂପଟି ଅଚଳ ହେବା ପରେ ପାନୀୟ ଜଳ ପାଇଁ ପଡ଼ାବାସୀ ଜମି ହୁଡ଼ା ତଳେ ବୋହି ଆସୁଥିବା ପାଣିକୁ ସଂଗ୍ରହ କରି ବ୍ୟବହାର କରୁଥିବା ଜଣାପଡ଼ିଛି।ଏହାଛଡ଼ା କେତେବେଳେ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଧରାଭଟା ଗାଁକୁ ଯାଇ ପିଇବା ପାଣି ଆଣିବାକୁ ପଡ଼ୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ମତପ୍ରକାଶ କରିଛନ୍ତି।ନଳକୂପ ମରାମତି ପାଇଁ ପଡ଼ାବାସୀ ସରପଞ୍ଚଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ। ପଡ଼ାବାସୀଙ୍କ ଅଭିଯୋଗ ଅନୁସାରେ ସରପଞ୍ଚ ଗାଁକୁ ଆସି ନଳକୂପର ସ୍ଥିତି ଦେଖିବା ସହ ଫଟୋ ଉଠାଇ ନେଇଥିଲେ ହେଲେ ଏଯାଏଁ ନଳକୂପ ମରାମତି ହୋଇପାରିନାହିଁ।ଏନେଇ ପଡ଼ାବାସୀ ପାନୀୟଜଳ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଯନ୍ତ୍ରୀ ଗାଁକୁ ଆସି ସ୍ଥିତି ପରଖିବା ସହ ନୂତନ ନଳକୂପ ଖନନ ପାଇଁ ସ୍ଥାନ ଚିହ୍ନଟ କରିଥିବା ପଡ଼ାବାସୀ କହିଛନ୍ତି। ତେବେ ଏତେ ସବୁ ପ୍ରକ୍ରିୟା ପରେ ମଧ୍ୟ ଅଚଳ ନଳକୂପ ମରାମତି ହୋଇପାରି ନାହିଁ କି ନୂତନ ନଳକୂପ ମଧ୍ୟ ଖନନ ହୋଇନ'ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।ଅନ୍ୟପକ୍ଷରେ ସରପଞ୍ଚଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ପଡ଼ାବାସୀ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି।ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଦୀର୍ଘଦିନ ଧରି ବଞ୍ଚିତ ହୋଇ ଚାଷ ଜମିରେ ବୋହି ଯାଉଥିବା ପାଣି ଉପରେ ନିର୍ଭର କରୁଥିବା କୁମ୍ ପଡ଼ାବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଅଚଳ ନଳକୂପ ମରାମତି କିମ୍ବା ନୂତନ ନଳକୂପ ଖନନ କରି ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବଚକା କୁମପଡ଼ାର ବେନ୍ଦେଲ ବିଭାର,ଅମୁ ସୁନା,ସନ୍ଧ୍ୟା ହରିଜନ,ଯମୁନା ବିଭାର,ଅଷ୍ଟମୀ ବିଭାର,ଶଙ୍କର ତାଣ୍ଡି,ପୂର୍ଣମୀ ତାଣ୍ଡି, ବିଲମା ତାଣ୍ଡି,ମନନୀର ସୁନା,ସାନୁର୍ଯ୍ୟ ସୁନା,ଜ୍ୟୋଷ୍ଣା ବିଭାର,ଅନୁଷ୍କା ବିଭାର ସମେତ ପଡ଼ାବାସୀ ପ୍ରମୁଖ ଦାବି କରିଛନ୍ତି।ତେବେ ଉକ୍ତ ବଚକା ଗ୍ରାମର କୁମପଡ଼ା ବାସୀଙ୍କ ଦୁଃଖ କେବେ ବୁଝୁଛନ୍ତି ବିଭାଗୀୟ ଅଧିକାରୀ ଓ କେବେ ସୁଧୁରିବ ପାନୀୟ ଜଳର ବ୍ୟବସ୍ଥା ତାହା ଦେଖିବାକୁ ବାକି ରହିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment