ଚିନି ଉତ୍ପାଦନରେ ସରକାରଙ୍କ ଜୋର୍, ପ୍ରଥମେ ଚାଲୁ ହେବ ବଡ଼ମ୍ବା ଚିନିକଳ:
ରାଜ୍ୟରେ ଚିନି ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ଚିନି ଉତ୍ପାଦନ ବଢ଼ାଇବା ଉପରେ ଜୋର୍ ଦେଇଛନ୍ତି ରାଜ୍ୟ ସରକାର । ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ରାଜ୍ୟର ଚିନିକଳଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବଡମ୍ବା ସମେତ ରାଜ୍ୟର ୩ଟି ଚିନିକଳର ପୁନରୁଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ତେବେ ପ୍ରଥମେ ବଡ଼ମ୍ବାରେ ଚିନିକଳ କାର୍ଯ୍ୟକ୍ଷମ କରାଯିବ । ୨୦୧୧ ମସିହାରୁ ଦୀର୍ଘ ୧୫ ବର୍ଷ ଧରି ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ପାଇଁ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ପୂର୍ବରୁ ସୂଚନା ଦେଇଛନ୍ତି। ପ୍ରଥମେ ବଡ଼ମ୍ବା ଏବଂ ପରବର୍ତ୍ତୀ ସମୟରେ ବଲାଙ୍ଗୀର ଓ ନୟାଗଡ଼ରେ ଚିନିକଳ ଚାଲୁ କରାଯିବ ବୋଲି ସେ କହିଛନ୍ତି ।
ବଡ଼ମ୍ବା ଚିନିକଳ ପୁନରୁଦ୍ଧାର ପାଇଁ ମାଟି ପରୀକ୍ଷା ଆରମ୍ଭ ହୋଇଛି । ଏହାସହ ବାଉଣ୍ଡାରି ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି । ଚିନିକଳର ସମ୍ପ୍ରସାରଣ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏବଂ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ବଡ଼ମ୍ବାରେ ଚିନିକଳ ପୁଣି କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ହଜାର ହଜାର ଆଖୁଚାଷୀ ସିଧାସଳଖ ଉପକୃତ ହେବେ । ଆଖୁଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ମିଳିବା ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ଅଞ୍ଚଳର ଗ୍ରାମୀଣ ଅର୍ଥନୀତି ମଧ୍ୟ ମଜଭୁତ ହେବ ବୋଲି ଆଶା କରାଯାଉଛି ।
ବଡ଼ମ୍ବା ଚିନିକଳ ପୁନରୁଦ୍ଧାର ଖବର ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷର ଅପେକ୍ଷା ପରେ ଚିନିକଳ ପୁଣି ଚାଲୁ ହେବାକୁ ଥିବାରୁ ବଡ଼ମ୍ବାବାସୀ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗୋଟିଏପଟେ ରାଜ୍ୟରେ ଚିନି ଦର ବଢ଼ି ଚାଲିଥିବାବେଳେ, ଅନ୍ୟପଟେ ବନ୍ଦ ଚିନିକଳଗୁଡ଼ିକୁ ପୁନରୁଦ୍ଧାର କରି ଚିନି ଉତ୍ପାଦନ ବଢ଼ାଇବାକୁ ସରକାରଙ୍କ ଉଦ୍ୟମ କେତେଦୂର ସଫଳ ହେଉଛି, ତାହା ଉପରେ ଏବେ ନଜର ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment