ଜୀବନ ବିକଳରେ ପେଟ୍ରୋଲ ପମ୍ପକୁ ଧାଇଁ ଆସିଲା କୁଟୁରା: ବନ ବିଭାଗକୁ ହସ୍ତାନ୍ତର କଲେ ମାଲିକ
ସମ୍ବଲପୁର/ଯୁଯୁମୁରା:
କୁକୁର ଦାଉରୁ ରକ୍ଷା ପାଇବା ପାଇଁ ଗୋଟିଏ ଜଙ୍ଗଲୀ କୁଟୁରା ବନ ବିଭାଗ ସହାୟତାରେ ପୁଣି ପୁଣି ନିଜ ନିବାସ ସ୍ଥାନ ଜଙ୍ଗଲକୁ ଫେରିଥିବା ଭଳି ମାନବୀୟ ଦୃଶ୍ୟପଟ୍ଟ ଗତକାଲି ଦେଖିବାକୁ ମିଳିଥିଲା ଯୁଯୁମୁରା ଅଞ୍ଚଳରେ। ଖବରରୁ ପ୍ରକାଶ ଯେ, ଦଳେ କୁକୁରଙ୍କ ହାବୁଡ଼ରେ ପଡିଥିଲା ଏକ ଜଙ୍ଗଲୀ କୁଟୁରା। କୁକୁର ଦଳ ତା'କୁ ଗୋଡେଇ ଗୋଡେଇ ଲହୁ ଲୁହାଣ କରିଦେଇଥିଲେ। ତଥାପି ଜଙ୍ଗଲୀ ଜନ୍ତୁଟି କୁକୁରମାନଙ୍କୁ ଟକ୍କର ଦେଇ ଜୀବନ ବିକଳରେ ଜାତୀୟ ରାଜପଥ କଡରେ ଥିବା ଲଷ୍ମୀ ପେଟ୍ରୋଲ ପମ୍ପକୁ ପଶି ଆସି ଲୁଚିବାକୁ ଚେଷ୍ଟା କରିଥିଲା। ଏହାକୁ ଦେଖି ପେଟ୍ରୋଲ ପମ୍ପ୍ କର୍ମଚାରୀମାନେ କୁକୁରମାନଙ୍କୁ ଘଉଡ଼ାଇ କୁଟୁରାକୁ ସୁରକ୍ଷିତ ରଖି ପମ୍ପ୍ ମାଲିକଙ୍କୁ ଖବର ଦେଇଥିଲେ।ପମ୍ପ୍ ମାଲିକ ଲଷ୍ମୀଧର ଦେହୁରୀ ପହଞ୍ଚି ଘଟଣା ସମ୍ପର୍କରେ ଯୁଯୁମୁରା ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କୁଟୁରାକୁ ଉଦ୍ଧାର କରିବା ସହିତ ପାଟି ଓ ଶରୀରରେ ରକ୍ତାତ କ୍ଷତ ଚିହ୍ନ ଦେଖି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ନେଇ ତାର ଚିକିତ୍ସା କରାଇଥିଲେ। ପରେ କୁଟୁରାଟି ସୁସ୍ଥ ଅନୁଭବ କରିବା ପରେ ପୁଣି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ। ଏହି ମହାନୁଭବ ଓ ମାନବିକତା ସେବା ପାଇଁ ପମ୍ପ୍ ମାଲିକ ଓ ବନ ବିଭାଗକୁ ଅଞ୍ଚଳବାସୀ ସମସ୍ତେ ସାବାସୀ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଡ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق