BREAKING
Loading...
:

ଓଡିଶାରୁ ୩୦ ଲକ୍ଷ କୋଟି ଜମାରାଶି ଅନୁପାତରେ ୪୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଦାବି କଲା କଳିଙ୍ଗସେନା

 ଓଡିଶାରୁ ୩୦ ଲକ୍ଷ କୋଟି ଜମାରାଶି ଅନୁପାତରେ ୪୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଦାବି କଲା କଳିଙ୍ଗସେନା




ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ଦେବାକୁ ଦାବି 

ଜମା ସଂଗ୍ରହ ଓ ଋଣ ଯୋଗାଣ ଉପରେ ପଞ୍ଚାୟତୱାରୀ ଶ୍ୱେତପତ୍ର ପ୍ରକାଶ କର ।

ଓଡିଶା ଜମାକୁ ଅନ୍ୟ ରାଜ୍ୟରେ ଖଟାଇଲେ ବିରୋଧ କରାଯିବ ।

ଭୁବନେଶ୍ୱର, - : ଓଡିଶାରୁ ୫ ବର୍ଷ ଭିତରେ ୩୦ ଲକ୍ଷ କୋଟି ଟଙ୍କାର ଜମା ରାଶି ସଂଗ୍ରହ କରୁଥିବା ବ୍ୟାଙ୍କମାନେ ରାଜ୍ୟର ପ୍ରତି ପଞ୍ଚାୟତରେ ଅତି କମରେ ୧୦୦ ଜଣ ଯୁବକ ଯୁବତୀଙ୍କୁ ୧୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରନ୍ତୁ  । ଏହି ଋଣ ପାଇବା ପାଇଁ ସରକାର ଗ୍ୟାରେଣ୍ଟର ପଡନ୍ତୁ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ଋଣ ପାଇଁ ବ୍ୟାଙ୍କ ମାନେ ମୂଳଧନ ଜମା ବ୍ୟବସ୍ଥାର ଉଚ୍ଛେଦ କରିବାକୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ମିଳିତ ଭାବେ ଦାବି କରିଛନ୍ତି କଳିଙ୍ଗ ସେନା ସାଧାରଣ ସମ୍ପାଦକ ରାଧାମୋହନ ପଟ୍ଟନାୟକ, ବିଜୟ ରାଜ, ଇଂ ମନୋଜ ନାୟକ, ସୁମନ୍ତ ସ୍ୱାଇଁ,ଅମୂଲ୍ୟ ନାୟକ,ଉପ ସଭାପତି ଅବଦୁଲ କୟୁମ ଖାନ, ହିମାଶୁଂ ନାୟକ, ସଙ୍ଗଠନ ମନ୍ତ୍ରୀ ସଞ୍ଜୟ ପ୍ରଧାନ,ସମ୍ପାଦକ ଅଶୋକ ସାହୁ, ବରଦାକାନ୍ତ ମହାନ୍ତି,ନାରୀ ନେତ୍ରୀ ମୋନାଲିଶା ବିଶ୍ୱାଳ ପ୍ରମୁଖ । 

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ଓଡିଶାରେ ନିଜର ଶାଖା ଖୋଲିଥିବା ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କମାନଙ୍କ ଜମା ସଂଗ୍ରହ ବର୍ଷକୁ ବର୍ଷ ବଢିବାରେ ଲାଗିଛି  । ହେଲେ ଏମାନେ ଜମା ସଂଗ୍ରହ ଅନୁପାତରେ ଓଡିଶାର ବେକାର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବାକୁ ହେଉ କିମ୍ବା ପାଠ ପଢିବାକୁ ହେଉ ଋଣ ପ୍ରଦାନ କରୁନାହାଁନ୍ତି  । ଓଡିଶାରୁ ସଂଗ୍ରହ କରୁଥିବା ବିପୁଳ ପରିମାଣର ଜମାକୁ ଅନ୍ୟ ରାଜ୍ୟରେ ଖଟାଇ ମାଲେ ମାଲ ହେଉଛନ୍ତି  । ଓଡିଶାରେ ଯେଉଁ ଋଣ ଦେଉଛନ୍ତି ତାହାର ସିଂହ ଭାଗ ଘର ଋଣ, ଗାଡି ଋଣ ନହେଲ ଶିଳ୍ପପତିଙ୍କୁ ଋଣ  । କୃଷି ଋଣ, କ୍ଷୁଦ୍ର ବ୍ୟବସାୟ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ସ୍କିମ ଗୁଡିକରେ ଋଣ ଦେବା ପାଇଁ ଏମାନେ ପଛଘୁଞ୍ଚା ଦେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ,  ଏମାନଙ୍କ ଠାରୁ କେତକ ଅଣ ଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ମୋଟା ଅଙ୍କର ଋଣ ନେଇ କିଛି କମ୍ପାନୀ ଓଡିଶା ଛାଡି ପଳାଉଛନ୍ତି  ।

ତେଣୁ ବ୍ୟାଙ୍କମାନେ ତୁରନ୍ତ ଓଡିଶାର ବେକାର ଯୁବକମାନଙ୍କୁ ପଞ୍ଚାୟତ ସ୍ତରରେ ଋଣ ପ୍ରଦାନର ବ୍ୟବସ୍ଥା କରନ୍ତୁ  । ସରକାର ଏହି ଋଣ ପାଇଁ ଗ୍ୟାରେଣ୍ଟର ପଡନ୍ତୁ  । ଯୁବକ ଯୁବତୀମାନେ କିଭଳି ସହଜରେ ଓ ସରଳ ଭାବେ ଋଣ ପାଇବେ ଉଭୟ ସରକାର ଓ ବ୍ୟାଙ୍କ ସେଥିପାଇଁ ବ୍ୟବସ୍ଥା କରନ୍ତୁ  । ଗତ ୫ବର୍ଷ ମଧ୍ୟରେ ରାଜ୍ୟର କେଉଁ ବ୍ୟାଙ୍କ କେଉଁ ଜିଲ୍ଲାର କେତେ ଯୁବକ ଯୁବତୀଙ୍କୁ ଋଣ ପ୍ରଦାନ କରିଛନ୍ତି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ତାହା ଉପରେ ଏକ ଶ୍ୱେତପତ୍ର ଜାରି କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି  ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୨୦-୨୧ ବର୍ଷରେ ବ୍ୟାଙ୍କମାନେ ଓଡିଶାରୁ ୩.୮୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଥିବା ବେଳେ ୨୦୨୧-୨୨ ବର୍ଷରେ ଏହା ୪ଲକ୍ଷ ୩୦ହଜାର କୋଟି ଟଙ୍କାକୁ ଟପିଯାଇଥିଲା  । ୨୦୨୨-୨୩ ବର୍ଷରେ ଏହା ୪ଲକ୍ଷ ୬୦ହଜାର କୋଟି ଟଙ୍କାକୁ ଟପିଥିବା ବେଳେ ୨୦୨୩-୨୪ ରେ ତାହା ୫ଲକ୍ଷ ୨୭ହଜାରକୁ ଅତିକ୍ରମ କରିଥିଲା  । ୨୦୨୪-୨୫ରେ ଏହା ପାଖପାଖି ୬ଲକ୍ଷ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥôକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କମାନେ ଓଡିଶାରୁ ୬,୧୬,୮୧୮ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରି ସାରିଲେଣି  ।

ବ୍ୟାଙ୍କଗୁଡିକ ଯେଉଁ ହାରରେ ଓଡିଶା ବଜାରରୁ ପୁଞ୍ଜି ସଂଗ୍ରହ କରୁଛନ୍ତି ସେହି ଅନୁପାତରେ ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନ କରୁନାହାଁନ୍ତି  । ଏ କ୍ଷେତ୍ରରେ ସବୁଠାରୁ ଆଗରେ କୃଷି ଥିବା ବେଳେ ଏମଏସଏମଇ, ଶିକ୍ଷା ସମେତ ଆଉ କିଛି ଅଗ୍ରାଧିକାର କ୍ଷେତ୍ର ରହିଛି  । ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଏମାନେ ପଛଘୁଞ୍ଚା ଦେଉଛନ୍ତି  । ସରକାରଙ୍କ ବାରମ୍ବାର ତାଗିଦାକୁ ବି ଖାତିର କରୁନାହାନ୍ତି  ।  

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୨୦-୨୧ ବର୍ଷରେ ବ୍ୟାଙ୍କ୍ଗୁଡିକ ଏହିସବୁ ପ୍ରାଥମିକତା କ୍ଷେତ୍ରକୁ ପାଖାପାଖି ୮୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ  । ସେଥି ମଧ୍ୟରୁ ସର୍ବାଧିକ ୩୮,୮୯୧ କୋଟି ଟଙ୍କା ଏମଏସଏମଇ କ୍ଷେତ୍ରକୁ ଦିଆଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କୃଷି କ୍ଷେତ୍ର ରହିଥିଲା  । ୨୦୨୧-୨୨ ବର୍ଷରେ ବ୍ୟାଙ୍କ୍ମାନେ ଏହିସବୁ କ୍ଷେତ୍ରକୁ ୧ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ସର୍ବାଧିକ ଅର୍ଥ କୃଷି କ୍ଷେତ୍ରକୁ ଯାଇଥିଲା  ।୨୦୨୨-୨୩ ବର୍ଷରେ ୧,୩୫,୭୨୦ କୋଟି ଟଙ୍କାର ଋଣ ଦେଇଥିବାବେଳେ ଏମଏସଏମଇ କ୍ଷେତ୍ରକୁ ସର୍ବାଧିକ ୬୨ହଜାର କୋଟି ଟଙ୍କାର ଋଣ ଦିଆଯାଇଥିଲା  । କୃଷି କ୍ଷେତ୍ରକୁ ଏହିବର୍ଷ ୫୪ହଜାର କୋଟିରୁ ଅଧିକ ଋଣ ପ୍ରଦାନ କରିଥିଲେ  । ୨୦୨୩-୨୪ ବର୍ଷରେ ବ୍ୟାଙ୍କ୍ମାନେ ୧ଲକ୍ଷ ୬୫ହଜାର କୋଟି ଟଙ୍କାର ଋଣ ଦେଇଥିବା ବେଳେ ଗତ ଆର୍ଥôକ ବର୍ଷରେ ଏହା ପ୍ରାୟ ୧ଲକ୍ଷ ୯୫ହଜାର କୋଟି ଟଙ୍କା ରହିଥିଲା  ।

ଓଡିଶାରୁ ସଂଗ୍ରହ ପୁଞ୍ଜି କେଉଁ କେଉଁ ରାଜ୍ୟରେ ଖଟା ଯାଉଛି ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି  । ଚଳିତ ଆର୍ଥôକ ବର୍ଷ ଶେଷ ଅର୍ଥାତ ମାର୍ଚ୍ଚ ୩୧ ସୁଦ୍ଧା ପ୍ରତି ପଞ୍ଚାୟତର ୧୦୦ ଜଣ ଯୁବକ ଯୁବତୀଙ୍କୁ ଋଣ ଦେଇନଥିବା ବ୍ୟାଙ୍କଗୁଡିକୁ ଓଡିଶାରେ ବ୍ୟବସାୟ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ସବ୍ୟସାଚୀ ମହାପାତ୍ର, ତୁଳସୀ ଦାଶ, ସମୀର ପ୍ରଧାନ, ବରୋଦାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS