ଗୋଡଭଗା ସ୍ଥିତ ରେଳଫାଟକ ଲୋକଙ୍କ ମୁଣ୍ଡବ୍ୟଥାର ପ୍ରମୁଖ କାରଣ, କେବେ ହେବ ଦୂରୀକରଣ ?
ସମ୍ବଲପୁର/ଗୋଡଭଗା:-
ସମ୍ବଲପୁର ଓ ବରଗଡ଼ ଉଭୟ ଜିଲ୍ଲାର ସୀମାନ୍ତରେ ମୁଣ୍ଡଟେକି ଉଠିଥିବା ବ୍ୟସ୍ତବହୁଳ ଗୋଡଭଗା କେମ୍ପ୍ ଆଜିକା ଦିନରେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଛି। ଏହାକୁ ଲୋକେ ଚାରିଛକ ବୋଲି କହନ୍ତି। ଏଠାରୁ ଦକ୍ଷିଣକୁ ସୋନପୁର, ପଶ୍ଚିମକୁ ବରଗଡ, ଉତ୍ତରକୁ ଇତିହାସ ପ୍ରସିଦ୍ଧ ଗାଆଁ ପାହାଡ଼ଶ୍ରୀଗିଡା ଓ ପୂର୍ବକୁ ସମ୍ବଲପୁରକୁ ରାସ୍ତା ସଂଯୋଗ କରୁଛି। ଏହି ଛକ ଦେଇ ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ସହ ରାୟପୁରରୁ ସିଧାସଳଖ ରାଉରକେଲା ପର୍ଯ୍ୟନ୍ତ ରେଳପଥ ଯାଇଛି। ଦୈନନ୍ଦିନ ଜୀବନରେ ଅତାବିରା (ବରଗଡ଼) ଓ ଧନକଉଡ଼ା (ସମ୍ବଲପୁର) ବ୍ଲକ୍ର ପନ୍ଦରରୁ ଉର୍ଦ୍ଧ୍ବ ପଞ୍ଚାୟତର ଜନସାଧାରଣ ଗୋଡଭଗା କେମ୍ପ୍ ଛକ ଉପରେ ବିଭିନ୍ନ କାର୍ଯ୍ୟପାଇଁ ନିୟମିତ ନିର୍ଭରଶୀଳ ଅଟନ୍ତି। ମୁଖ୍ୟତଃ ପାହାଡଶ୍ରୀଗିଡା, ସୋଢାପାଲି, ଜାଙ୍ଗେଡ, ଢେମସା, ପିଠାପୋଟଲ, ଗୌରଟିକ୍ରା, ସିଲାଟି, ଲହଣ୍ଡା, ନିଲାଇପାଲି , ଯୋଗୀପାଲି , ପିପିଲି, ଗୋଡଭଗା, କେନ୍ଦୁପାଲି, ରାମନଗର, ଲକ୍ଷ୍ମଣ ନଗର, ମାଉଲିଭାଗ ଓ ଗୋଲକ ନଗର ଆଦି ଗାମର ହଜାର ହଜାର ଜନସାଧାରଣ, ବ୍ୟବସାୟୀ, ଚାଷୀ, ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମରତ ବ୍ୟକ୍ତି ବିଶେଷ ଗୋଡଭଗା କେମ୍ପ୍ ଛକରୁ ଲହଣ୍ଡା ଦେଇ ପାହାଡଶ୍ରୀଗିଡା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଯିବାଆସିବା କରନ୍ତି। ଏହି ରାସ୍ତା ଉପର ଦେଇ ଦୁଇ ଟ୍ରାକ୍ ବିଶିଷ୍ଟ ରେଳପଥ ଯାଇଥିବା ଯୋଗୁଁ ମାଲବାହୀ ଓ ପାସେଞ୍ଜର ଟ୍ରେନ୍ର ଚଳପ୍ରଚଳ ଅହରହ ଲାଗିରହିଥିବା ଯୋଗୁଁ ରେଳଫାଟକ ପ୍ରତି ଦଶ ପନ୍ଦର ମିନିଟ୍ ଅନ୍ତରାଳରେ ପଡୁଛି ଉଠୁଛି। ଫଳ ସ୍ୱରୂପ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଆମ୍ବୁଲାନ୍ସ୍ ସେବା ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହୁଥିବାର ଦୃଷ୍ଟିଗୋଚର ହୋଇଥାଏ। ସଂକଟାପନ୍ନ ରୋଗୀର ଯନ୍ତ୍ରଣା ଓ ତା'ର ପରିବାର ସଦସ୍ୟଙ୍କ ଅବସ୍ଥା କ'ଣ ହେଉଥିବ ତାହା କେବଳ ଭଗବାନଙ୍କୁ ଜଣା। ଏହି ରାସ୍ତା ଦେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ନେତାମାନେ ଯିବାଆସିବା କରିଥା'ନ୍ତି। ନିର୍ବାଚନ ପାଖେଇ ଆସିଲେ ସେମାନେ ଚଳଚଞ୍ଚଳ ହୋଇ ରେଳଫାଟକ ଜନିତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ନିର୍ଭର ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି, କିନ୍ତୁ ସବୁ ପ୍ରତିଶ୍ରୁତି ନିର୍ବାଚନ ସରିଗଲେ ପାଣିର ଗାର ସଦୃଶ୍ୟ ଦୃଶ୍ୟମାନ ହୁଏ। ଜନସାଧାରଣ ଏହି ସମସ୍ୟାରୁ କେବେ ମୁକ୍ତ ହେବେ ଏହା ସେମାନଙ୍କ ପାଇଁ ଏବେ ମୁଣ୍ଡବ୍ୟଥାର ପ୍ରମୁଖ କାରଣ ପାଲଟିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق