କୁଚିଣ୍ଡା ଉପଖଣ୍ଡର ଅନନ୍ୟ ପ୍ରତିଭା : ମାଟିପୁତ୍ର ସୁବାସ ନାୟକ
ସମ୍ବଲପୁର (ମଣିଭଦ୍ରା ଖବର)
ସମ୍ଭବତଃ ୧୯୭୦/୭୧ ମସିହାର କଥା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ତଳି ଅଞ୍ଚଳ ସାତକମା ଗାଆଁର କଥା। ଯୁଗଳ କିଶୋର ନାୟକଙ୍କ ଘର ବାରିପଟେ ଏକ ସମ୍ବରକୁ କିଛି ଲୋକ ଠେଙ୍ଗାବାଡି ଧରି ହୋହାଲ୍ଲା କରି ଗୋଡ଼ାଉ ଥିବା ଦେଖି ଯୁଗଳ କିଶୋରଙ୍କ କିଶୋର ପୁଅ ସୁବାସ ଆଶ୍ଚର୍ଯ୍ୟ ହୋଇଗଲା। ଫୁଟିଏ ମାଂସ ପାଇଁ ଦଳ ଦଳ ହୋଇ ଲୋକଙ୍କ ଏକ ବନ୍ୟପ୍ରାଣୀ ପ୍ରତି ହିଂସା ଆଚରଣ ତା'ରି ମନକୁ ଦୋହଲାଇ ଦେଲା। ପରଦିନ ସେ ଶୁଣିବାକୁ ପାଇଲା ଦଶ ବାର କିଲୋମିଟର ଦୁରସ୍ଥ ଗହ୍ମାପାଲି ଗାଁ' ନିକଟରେ ସମ୍ବରକୁ ଲୋକେ ଆଶାତୀତ ଭାବେ ହିଂସ୍ର ହୋଇ ମାରିପକାଇଲେ। ଦୀର୍ଘ ଦଶ ବାର କିଲୋମିଟର ଦୂର ଯାଏ ଦୌଡ଼ି ଦୌଡ଼ି ସାତକମା ଗ୍ରାମ୍ୟ ଲୋକେ ଗହ୍ମାପାଲି ଲୋକଙ୍କ ସଙ୍ଗେ ମିଶି ନିରୀହ ସମ୍ବରଟିକୁ ମାରି ଜଣ ପିଛା ପାଏରୁ ବି କମ୍ ମାଂସ ଆଣି ଖାଉଥିବା ଦୃଶ୍ୟ କିଶୋର ସୁବାସକୁ ବ୍ୟତିବ୍ୟସ୍ତ କରିପକାଇଲା। କେଜାଣି କାହିଁକି ଏହି ଆସୁରିକ ଦୃଶ୍ୟ କିଶୋରରୁ ବଡ ହୋଇ ଉଚ୍ଚଶିକ୍ଷା ଲାଭକରି ଶିକ୍ଷା ବିଭାଗରେ ଚାକିରି କଲା ପର୍ଯ୍ୟନ୍ତ ସୁବାସଙ୍କ ମନକୁ ଆନ୍ଦୋଳିତ କରି ଚାଲିଥିଲା। ଏବେ ମଧ୍ୟ ଏ କଥା ମନେ ପଡିଗଲେ ଅଧ୍ୟାପନାରୁ ଅବସର ନେଇ ସାରିଥିବା ସୁବାସ ନାୟକଙ୍କ ଆଖି ଲୁହ ଛଳଛଳ ହୋଇଯାଏ। ଠିକ୍ ସେହିପରି ସମ୍ଭବତଃ ହାଇସ୍କୁଲରେ ପଢୁଥିବା ବେଳେ ଛାଲ ପଟେଲ ନାମକ ଜଣେ ବୃଦ୍ଧ ଗାଁ ମୁଣ୍ଡରେ ବରଗଛଟିଏ ଲଗାଉଥିବା ବେଳେ କିଶୋର ସୁବାସ ତାହା ଦେଖି ଉତ୍ସାହିତ ହୋଇ ପ୍ରଶଂସା କରିବାରୁ ବୃଦ୍ଧଙ୍କ ପରାମର୍ଶ କ୍ରମେ ଖରା ଛୁଟି ବେଳେ ସେ ଗଛରେ ନିୟମିତ ପାଣି ଦେଉ ଦେଉ କେବେ ଯେ ବୃକ୍ଷପ୍ରେମୀଟିଏ ପାଲଟିଗଲେ ସେ ବି ଜାଣନ୍ତି ନାହିଁ ବୋଲି ଆଜିକାର ମାଟିପୁତ୍ର ଭାବେ ପଶ୍ଚିମ ଓଡ଼ିଶାରେ ବେଶ୍ ଚର୍ଚ୍ଚିତ ସୁବାସ ନାୟକ ପ୍ରକାଶ କରନ୍ତି। ନିଜ ପୈତୃକ ଗାଁ'ର ତିନୋଟି ସାହିର ଲୋକେ ତିନୋଟି ଜଙ୍ଗଲ ସୁରକ୍ଷାରେ ଅଛନ୍ତି। ସେ ଅବସର ପୂର୍ବରୁ ଏବଂ ପରେ ମଧ୍ୟ ଏମାନଙ୍କୁ ସହଯୋଗ କରି ଆସୁଛନ୍ତି। ଗାଁ'ର ମହିଳାମାନଙ୍କୁ ସଂଗଠିତ କରି ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଗଛଗୁଡ଼ିକୁ ରାକ୍ଷୀ ବାନ୍ଧି ନାରୀ ସମାଜରେ ବୃକ୍ଷ ପ୍ରେମ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି। ପଡ଼ୋଶୀ ଚାନ୍ଦିନୀମାଲ୍ ଗ୍ରାମରେ ଯୁବକ ସଂଘ ସ୍ଥାପନ କରି ସେମାନଙ୍କ ସହାୟତାରେ ୧୯୮୦ ମସିହାରେ ସହସ୍ରାଧିକ ବୃକ୍ଷ ରୋପଣ ସହ ସେସବୁର ଯତ୍ନ ନେଇ କୂତ୍ରିମ ଜଙ୍ଗଲ ସୃଷ୍ଟି କରିଥିଲେ। ଏଥିପାଇଁ ଉକ୍ତ ଯୁବକ ସଂଘ ପ୍ରକୃତି ମିତ୍ର ହେବା ସହ ଜଣେ ଉତ୍ସାହି ଯୁବକ ସୁଗତ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେ ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରେ ଲକ୍ଷାଧିକ ବୃକ୍ଷ ରୋପଣ କରି ସାରିଥିବା ବେଳେ ଶତାଧିକ ଅନୁଷ୍ଠାନରେ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ଥର ଜନ ସଚେତନତା ସଭାକରି ବନ ଓ ବନ୍ୟପ୍ରାଣୀର ସୁରକ୍ଷା ପାଇଁ ଏକ ପରିବେଶ ସୃଷ୍ଟିକରି ପାରିଛନ୍ତି। ଏଥି ନିମନ୍ତେ ସେ ନିଜେ ତିନି ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରି ସାରିଥିବା ବେଳେ ତାଙ୍କ ସହଯୋଗରେ ବାର ଜଣ ପରିବେଶ ପ୍ରେମୀ ସହଯୋଗୀ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିପାରିଛନ୍ତି। ସେ ନିଜେ ଅଧ୍ୟକ୍ଷ ଥିବା କୁଟୁରାଚୁଆଁ କଲେଜର ପରିସର ଓ ବାହାରେ ବ୍ୟାପକ ବୃକ୍ଷରୋପଣ କରେଇ କଲେଜ ପାଇଁ ବନୀକରଣ ସମ୍ମାନ ଆଣିପାରିଥିବା ବେଳେ ସେ ନିଜେ ଜଡ଼ିତ ଥିବା ଦଶରୁ ଉର୍ଦ୍ଧ୍ବ ଅନୁଷ୍ଠାନ ମଧ୍ୟ ପ୍ରକୃତି ମିତ୍ର ପୁରସ୍କାର ପାଇ ସାରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଶ୍ରୀ ନାୟକ କୁଚିଣ୍ଡା ଉପଖଣ୍ଡ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ସହିତ ଝାରସୁଗୁଡାର ସମଲେଶ୍ଵରୀ ସାହିତ୍ୟ ସଂସଦ ଓ ଦେବଗଡ଼ର ବାମଣ୍ଡା ସାହିତ୍ୟ ସଂସଦ ପକ୍ଷରୁ ମଧ୍ୟ ପରିବେଶ ଯୋଦ୍ଧା ଭାବରେ ସମ୍ମାନିତ ହୋଇଛନ୍ତି। ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ସୁସାହିତ୍ୟିକ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ନାୟକଙ୍କ ଏହି ମହନୀୟ ଉତ୍ସର୍ଗୀକୃତ କାର୍ଯ୍ୟ ସକାଶେ ତାଙ୍କୁ ସମସ୍ତେ ଶ୍ରଦ୍ଧାର ସହ ମାଟିପୁତ୍ର ଭାବରେ ସମ୍ବୋଧନ କରନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment