ଗଣିଆରେ ୪୧ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ, ଜଳଛତ୍ର ଖୋଲିବାକୁ ଦାବି
ଗଣିଆ (ମଣିଭଦ୍ରା ଖବର) ମୁଣ୍ଡ ଫଟା ଖରା ସାଙ୍ଗକୁ ଝାଞ୍ଜି ପବନ । ରାସ୍ତାରେ ବିଲେଇ ପିଲାଟିଏ ବି ନାହାନ୍ତି । ସମୟ ମାତ୍ର ୧୨ ଘଟିକା । ଏ ଥିଲା ଗଣିଆରେ ଆଜି ଦିବା ୧୨ ଘଟିକା ର ଦୃଶ୍ୟ । ଖରାର ପ୍ରକୋପ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଫଳରେ ଗଣିଆରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାସ୍ତାଘାଟ ଜନଶୂନ୍ୟ ଦେଖିବାକୁ ମିଳିଛି । ବାଟୋଇ ମାନେ ଜଳଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାର ଉପରେ ଜଳଛତ୍ରର ସୁବିଧା ନଥିବାରୁ ଲୋକମାନେ ବାଧ୍ୟହୋଇ ଥଣ୍ଡାପାନୀୟ ଉପରେ ନିର୍ଭର କରୁଛନ୍ତି । ବଜାରରୁ ଜଳକିଣି ପିଇବାକୁ ପଡୁଛି । ଦିନ ୧୨ ବେଳକୁ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିବା ଦେଖିବାକୁ ମିଳିଛି । ଆଗକୁ ଖରାର ପ୍ରକୋପ ଦୃତ ଗତିରେ ବଢ଼ିବାକୁ ଥିବାରୁ ପ୍ରଶାସନ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇପଡିଛି । ନିହାତି ପକ୍ଷେ ଗଣିଆ ବଜାରରେ ଗୋଟିଏ ଜଳଛତ୍ର ଖୋଲିବା ଆବଶ୍ୟକ ହୋଇପଡିଛି । ଏହି ବଜାର ଉପରେ ୮ଟି ପଞ୍ଚାୟତ ତଥା ପଡ଼ୋଶୀ ନରସିଂହପୁର,ଢୋଲମରା, କୁମ୍ଭାରପଡ଼ା ଆଦି ଗ୍ରାମର ଲୋକେ ଭରସା କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟ କରୁଛନ୍ତି । ତେଣୁ ପ୍ରାଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment