ଗଣିଆରେ ରାମନବମୀ ଧୁମଧାମରେ ପାଳିତ,ଯୋଗ ଦେଲେ ଦଶପଲ୍ଲା ବିଧାୟକ
ଗଣିଆ( ମଣିଭଦ୍ରା ଖବର) ଗଣିଆରେ ଥିବା ରଘୁନାଥ ଜୀଉ ମନ୍ଦିର ପରିସରରେ ରାମନବମୀ ଧୁମଧାମରେ ପାଳିତ ହୋଇଯାଇଛି ।ଏକ ସୁସଜ୍ଜିତ ବିମାନରେ ପ୍ରଭୁଙ୍କୁ ବେଢ଼ା ପରିକ୍ରମା କରାଯାଇଥିଲା । ଶ୍ରୀରାମ ଜନ୍ମ ପୁରାଣ ପଠନ କରି ଲଙ୍କା ପୋଡ଼ି ଯାତ୍ରାର ଶୁଭାରମ୍ଭ ହୋଇଥିଲା । ସହସ୍ରାଧିକ ଭକ୍ତ ଆଜି ମନ୍ଦିରରେ ଏକାଠି ଉପବାସ କରିଥିଲେ । ପ୍ରାୟ ୫୦ରୁ ଅଧିକ କଳାକାର ନିଷ୍ଠାର ସହିତ ବ୍ରତ ଧାରଣ କରିଥିବା ବେଳେ ଗୃହତ୍ୟାଗ କରି ହବିଷ ପାଳନ କରିଛନ୍ତି । ରାତିରେ ଅଞ୍ଚଳର କଳାକାର ମାନଙ୍କୁ ନେଇ ରାମ ନାଟକ ଶ୍ରୀରାମ ଜନ୍ମ ଏବଂ ତାଡକା ବଧ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି ।
ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ସଦାଶିବ ମିଶ୍ର, ବିଜେପି ମଣ୍ଡଳ ସଭାପତି ମହାବୀର ମିଶ୍ର, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ ପ୍ରମୁଖ ଉପସ୍ଥିତ ରହି ପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ୫୩ ବର୍ଷ ଧରି ଗଣିଆରେ ଏହି ଲଙ୍କା ପୋଡ଼ି ଯାତ୍ରା ଧୁମଧାମରେ ପାଳିତ ହୋଇଆସୁଅଛି । ଚଳିତବର୍ଷ ଏହି ଲଙ୍କା ପୋଡ଼ି ଯାତ୍ରା ବା ମୁଖ୍ୟ ଉତ୍ସବ ରାବଣବଧ ଆସନ୍ତା ୨୯ ତାରିଖ ଠାରୁ ୨ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ



إرسال تعليق