ପ୍ରଶାସନର ପ୍ରତିଶୃତି ପରେ ହଟିଲା ରାସ୍ତାରୋକ
ଗଣିଆ (ମଣିଭଦ୍ରା ଖବର) ଗଣିଆ ଠାରୁ ବଡମୂଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ ଗତକାଲି ଠାରୁ ଚାଲିଥିବା ଶୋଭାଯାତ୍ରା ଗଣଧାରଣା ଓ ଅନଶନ ଆଜି ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ଦୁଇ ଦିନ ଧରି ଛାମୁଣ୍ଡିଆ ପଞ୍ଚାୟତ ଗ୍ରାମବାସୀ ଧାରଣାରେ ବସି ରହିଥିଲେ ମଧ୍ୟ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇ ନଥିଲା । ତେବେ ଆଜି ସକାଳୁ ଧାରଣାସ୍ଥଳରେ ବିକ୍ଷୋଭ ଜାରି ରହିବା ସହିତ ରାସ୍ତାରୋକ ପାଇଁ ଚେତାବନୀ ଦେବା ଫଳରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ବିଡ଼ିଓ ପ୍ରିତିବାଳା ରଣା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଏସଡିପିଓ ବିମଳ କୁମାର ବାରିକ,ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପହଞ୍ଚି ବୁଝାସୁଝା କରିଥିଲେ ।
ଏପରିକି ଆସନ୍ତା ଏପ୍ରିଲ ମାସ ସୁଦ୍ଧା କଳାପାଟ ଠାକୁରାଣୀଙ୍କ ପୀଠରୁ ବଡମୂଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରିବା ସହିତ ଗଣିଆ ଠାରୁ କଳାପାଟ ପର୍ଯ୍ୟନ୍ତ ରାସ୍ତାର ମରାମତି କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଧାରଣାରୁ ହଟିଥିଲେ । ତେବେ ଯଦି ଏପ୍ରିଲ ମାସ ସୁଦ୍ଧା ରାସ୍ତା ନିର୍ମାଣ ସଂପୂର୍ଣ୍ଣ ନହୁଏ ତେବେ ଗ୍ରାମବାସୀ ରାସ୍ତାରୋକ କରିବା ସହିତ ଅଖଚକ ସବୁ ବନ୍ଦ କରିବେ ବୋଲି ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق