BREAKING
Loading...
:

ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ କଲେ ନବୋଦୟ ଛାତ୍ରଛାତ୍ରୀ

 ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ କଲେ ନବୋଦୟ ଛାତ୍ରଛାତ୍ରୀ 

ଶିଶୁ ଶ୍ରମିକ ଓ ଶିକ୍ଷାପାଇଁ ଅଧିକାର 

ଗ୍ରାମୀଣ ଶିକ୍ଷାର୍ଥୀମାନଙ୍କ ପାଇଁ ମୋବାଇଲ ଲାଇବ୍ରେରୀ ପ୍ରଦାନ

ଗଣିଆ (ମଣିଭଦ୍ରା ଖବର)  ମଙ୍ଗଳବାର ଦିନ ପିଏମଶ୍ରୀ ସ୍କୁଲ ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଦ୍ୱାରା ଶିଶୁ ଶ୍ରମିକ ଓ ଶିକ୍ଷା ପାଇଁ ଅଧିକାର, ଗ୍ରାମୀଣ ଶିକ୍ଷାର୍ଥୀମାନଙ୍କ ପାଇଁ ମୋବାଇଲ ପ୍ରଦାନ ଉପରେ ଛାତ୍ରମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଗଣିଆ ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । 

 ଜବାହାର ନବୋଦୟର ଅଧ୍ୟକ୍ଷ ଏସ.କେ. ଦାସଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ରାଜ କରଣ୍ ଓ ଏସ କେ ଓଝାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛାତ୍ରମାନେ ରାସଙ୍ଗ ପଂଚାୟତର ମାଳତୀପୁଟ ଗ୍ରାମରେ ଶିଶୁ ଶ୍ରମିକ ଓ ଶିକ୍ଷା ପାଇଁ ଅଧିକାର ଉପରେ ଆଧାରିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଆଜିର ସମାଜରେ କିପରି ନିର୍ଯ୍ୟାତିତ ଶୈଶବ ଓ ସାର୍ବଜନୀନ ଶିକ୍ଷା ଉପରେ ପରିବେଷିତ ନାଟକଟି ଦର୍ଶକଙ୍କ ମନ ମୁଗ୍ଧକର ହୋଇଥିଲା । ଶିଶୁଟି ଜନ୍ମ ହେବାପରେ ତାର ଶାରିରିକ, ମାନସିକ, ବୈଦ୍ଧିକ ଓ ଆଧ୍ୟାତ୍ମିକ ବିକାଶର ପରିପୁଷ୍ଟି ପାଇଁ ତାର ସବୁପ୍ରକାର ଅଧିକାର ରହିଛି ।  ମାତ୍ର ଉପଯୁକ୍ତ ପରିବେଶ ଓ ସମାଜ ବିନା ଏ ସମସ୍ତର ସମ୍ଭବପର ହୋଇନଥାଏ । କୈଳିକ ବ୍ୟବସାୟ ବା ବୃତିରେ ଶିଶୁମାନଙ୍କ ନିଯୁକ୍ତି, ଆର୍ଥିକ ଦୁରାବସ୍ଥା, ୧୪ବର୍ଷ ପର୍ଯ୍ୟନ୍ତ ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷାର ଅଭାବ, ବିଦ୍ୟାଳୟରେ ଅନାକର୍ଷଣୀୟ ଶିକ୍ଷା ପରିବେଶ, ମା’ ବାପାଙ୍କ ନିରକ୍ଷରତା ଓ ଅବହେଳା, ଉପଯୁକ୍ତ ଖାଦ୍ୟର ଅଭାବ, ଶିଶୁ ଶ୍ରମିକ ଆଇନରେ ସ୍ଥାଣୁତା, ରାଜନୈତିକ ଇଛାଶକ୍ତିର ଅଭାବ, ପ୍ରଶାସନିକ ଦୁରଦୃଷ୍ଟିର ଅଭାବ ଆଦି କାରଣ ଶିଶୁ ଶ୍ରିମକ ବୃଦ୍ଧିରେ ବେଶ ସହାୟକ ହୋଇଥାଏ ।  

ଜାତି, ଲିଙ୍ଗଗତ ବୈଷମ୍ୟ, ଓ ସାର୍ବଜନୀନ ଶିକ୍ଷାର ଅଭାବ ବିଶେଷକରି ମହିଳା ଓ ପଛୁଆବର୍ଗଙ୍କ ଶିଶୁଙ୍କ ଶିକ୍ଷାରେ ଅନ୍ତରାୟ ସୃଷ୍ଟି କରୁଛି । ଏଥିପାଇଁ ପ୍ରାଥମିକ ଶିକ୍ଷା ଓ ଦାରିଦ୍ର‌୍ୟ ଦୁରୀକରଣ ଯୋଜନାରେ ଅଧିକ ବ୍ୟୟ ବରାଦ ହେବା ଆବଶ୍ୟକ । ସ୍କୁଲ ଯାଉନଥିବା ପିଲାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଅଭିଭାବକମାନଙ୍କ ସହ ଆଲୋଚନା, ପିଲାମାନଙ୍କ ନାମ ସ୍କୁଲରେ ଲେଖିବାକୁ ପ୍ରବର୍ତାଇବା, ସ୍କୁଲ ପରିଚାଳନାକୁ ତଦାରଖ କରିବା ସହିତ ଏହାର ସମାଧାନ ପାଇଁ ସଚେତନ କରାଗଲେ ଶିଶୁ ଶ୍ରମିକ ପ୍ରଥାର ବିଲୋପ ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାସଙ୍ଗ ସରପଂଚ ମାନସ କୁମାର ମହାଖୁଡ଼, ଗଣିଆ ସରପଂଚ ଗିରିଧାରୀ ସେଠୀ ଓ ଗଣିଆ ସମିତିସଭ୍ୟ ଫକୀରମୋହନ ଡାକୁଆ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମାଳତୀପୁଟ ଗ୍ରାମବାସୀମାନେ ସହଯୋଗ କରିଥିବାବେଳେ ବାଲିସାହିଠାରେ ଅନୁଷ୍ଠିତ ହୋଇଥିବା ଗ୍ରାମୀଣ ଶିକ୍ଷାର୍ଥୀମାନଙ୍କ ପାଇଁ ମୋବାଇଲ ଲାଇବ୍ରେରୀ ପ୍ରଦାନ ପୂର୍ବକ ସଚେତନତା କାର୍ଯ୍ୟକ୍ରମରେ ଗ୍ରହରାଜ ଯୁବକ ସଂଘର ସଦସ୍ୟମାନଙ୍କ ସହିତ ଗ୍ରାମବାସୀମାନେ ସହଯୋଗ କରିଥିଲେ । ନବୋଦୟ ଛାତ୍ରମାନଙ୍କ ଦ୍ୱାରା ଏଭଳି ଏକ ପଥପ୍ରାନ୍ତ ନାଟକ ଲୋକମାନଙ୍କ ମନମୁଗ୍ଧକର ହୋଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS