ଗଣିଆରେ ଯୋଗାଣ ଅଧିକାରୀ ନିଯୁକ୍ତି କେବେ ? ଜିଲ୍ଲାରେ ଗଣିଆକୁ ଛାଡି ସବୁ ବ୍ଲକରେ ଅଛନ୍ତି
ଗଣିଆ (ମଣିଭଦ୍ରା ଖବର) ଓଡ଼ିଶା ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯୋଗାଣ ବିଭାଗ । ନୂତନ ସରକାର ଆସିବା ପରେ ଅନେକ ଭୂତ ରାସନକାର୍ଡଧାରୀ ଥିବା ଜାଣିବାକୁ ପାଇବା ପରେ ସାରା ରାଜ୍ୟରେ ଏବେ ଇ-କେଓ୍ବାସି ଚାଲୁ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଲୋକ ଇ-କେଓ୍ବାସି କରିବାରୁ ବଞ୍ଚିତ ଥିବାରୁ ସରକାର ଏହାର ଅବଧି ବୃଦ୍ଧି କରିଛନ୍ତି । ଫେବୃୟାରୀ ୧୫ ତାରିଖ ସୁଦ୍ଧା ଇ-କେଓ୍ବାସି କରିନଥିବା ହିତାଧିକାରୀ ତୁରନ୍ତ ଇ-କେଓ୍ବାସି କରିବାକୁ ସରକାରଙ୍କ ତରଫରୁ ନିବେଦନ କରାଯାଇଛି । ଏଥିପାଇଁ ପ୍ରତିଦିନ ବ୍ଳକ ପରିସରରେ ଥିବା ଯୋଗାଣ ବିଭାଗକୁ ଗଣିଆ ବ୍ଳକର ୮ଟି ପଞ୍ଚାୟତ ଲୋକେ ନିଜର ଅଭିଯୋଗ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଆସୁଛନ୍ତି । ତେବେ ଗଣିଆରେ ଯୋଗାଣ ଅଧିକାରୀ ନଥିବାରୁ ବିଭାଗୀୟ କାର୍ଯ୍ୟାଳୟରେ ଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସମସ୍ତ କାର୍ଯ୍ୟ କରିବାକୁ ପଡୁଛି । ଖଣ୍ଡପଡ଼ା ଯୋଗାଣ ଅଧିକାରୀଙ୍କୁ ଗଣିଆ ଦାୟିତ୍ବ ଦିଆଯାଇଥିବା ବେଳେ ସେ କେତେବେଳେ ଆସୁଛନ୍ତି ତାହା କେବଳ ତାଙ୍କୁ ଜଣା । ତେବେ ସରକାର ଏବେ କିଛିଦିନ ହେବ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଯୋଗାଣ ଅଧିକାରୀ ନିଯୁକ୍ତି ଦେଇଥିବା ବେଳେ ଗଣିଆ ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଗଣିଆ ବ୍ଳକ ଠାରୁ ୪୫ କିଲୋମିଟର ଉପାନ୍ତ ଅଞ୍ଚଳ ବଡସିଲିଙ୍ଗାର ଲୋକେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଆସି ଫେରିକି ଯାଉଛନ୍ତି । ଯୋଗାଣ ଭଳି ଏକ ଗୁରୁତ୍ତ୍ୱପୂର୍ଣ ବିଭାଗରେ ଯଦି ଭଡ଼ାରେ ଅଫିସର କାର୍ଯ୍ୟ କରିବେ ସେ ବିଭାଗ କେତେ ଆଗେଇବ ଏଥିରୁ ଜଣାପଡୁଛି । ଅନେକ ସମୟରେ କିଛି ଅସାଧୁ ବ୍ୟବସାୟୀମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି କରୁଥିବା ବେଳେ ଯୋଗାଣ ଅଧିକାରୀ ନଥିବାରୁ ସେମାନେ ମନଇଛା ଦରବୃଦ୍ଧି କରୁଛନ୍ତି । ବର୍ତ୍ତମାନ ଚାଷୀ ମାନେ ଧାନ ଅମଳ କରି ମଣ୍ଡିକୁ ଧନ ଆଣୁଥିବା ବେଳେ ଅନେକ ମଣ୍ଡିରେ କଟନିଛଟନିକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏସବୁ ଯୋଗାଣ ବିଭାଗ ନିୟନ୍ତ୍ରଣରେ ରହିବା ଆବଶ୍ୟକ ଥିବା ବେଳେ ଗଣିଆରେ ଯୋଗାଣ ଅଧିକାରୀ ନଥିବା ଅତ୍ୟନ୍ତ ହାସ୍ୟାସ୍ପଦ । ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଯୋଗାଣ ଅଧିକାରୀ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق