BREAKING
Loading...
:

କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

 କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

     


   କଟକ (ମଣିଭଦ୍ରା ଖବର) ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସଂର୍ପକ କାର୍ଯ୍ଯାଳୟ ଦ୍ଵାରା  ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ସରସ ସୁନ୍ଦର ଭାବେ ପାଳନ କରାଯିବା ତଥା ଏହି ଜାତୀୟ ଉତ୍ସବର  ସଫଳ ଆୟୋଜନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିବା ସହ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ଭୂୟାଁ ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋକପାତ କରିବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମର ସର୍ବସଫଳତା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । 

                ଆଜିର ଏହି ପ୍ରସ୍ତୁତି ବୈଠକରେ ଦିବସ ପାଳନର ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋଚନା କରାଯାଇଥିବା ବେଳେ ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଥିବା କାରଣ ବଶତଃ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ବାରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଅନ୍ୟତ୍ର କରାଯିବା ପାଇଁ ସ୍ଥିର କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ବିକଳ୍ପ ଭାବେ ଆପାତତଃ ସ୍ଥିର ହୋଇଥିବା ବିଡାନାସୀ ମିନି ଷ୍ଟାଡିୟମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ନେତୃତ୍ବରେ ଆସନ୍ତା କାଲି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆବଶ୍ୟକ ଅନୁଯାୟୀ ଷ୍ଟାଡିୟମ ପରିସରରେ ଏବଂ ଏହାର ଆଖପାଖ ପରିଧି ଭିତରେ ପୂର୍ତ୍ତ ବିଭାଗ ତଥା କଟକ ମହାନଗର ନିଗମ ଦ୍ଵାରା ବ୍ୟବସ୍ଥାମାନ କରାଯିବ ବୋଲି ଆଲୋଚନା କରାଯାଇଥିଲା। ସାଧାରଣତନ୍ତ୍ର ଦିବସରେ ଜନପ୍ରତିନିଧି ବୃନ୍ଦ, କୃତୀପ୍ରତିଯୋଗୀ, ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାରୋହକୁ ନିମନ୍ତ୍ରିତ କରାଯିବ । ପୋଲିସ ପ୍ଲାଟୁନ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକର ଜାତୀୟ ସମର ଶିକ୍ଷାର୍ଥୀବାହିନୀ ଓ ସିଭିଲିୟାନ ଛାତ୍ରଛାତ୍ରୀମାନେ ପରେଡରେ ଅଂଶଗ୍ରହଣ କରିବେ । ସମର ଶିକ୍ଷାର୍ଥୀ ବାହିନୀ ଦଳଙ୍କ ନିମନ୍ତେ କମାଣ୍ଡିଂ ଅଫିସର ଆବଶ୍ୟକୀୟ ନିର୍ଦ୍ଦେଶନାମା ମହାବିଦ୍ୟାଳୟ ଓ ବିଦ୍ୟାଳୟକୁ ପ୍ରେରଣ କରିବେ । ସେହିଭଳି ସିଭିଲିୟାନ ଦଳଙ୍କ ପରେଡରେ ଯୋଗଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ସମନ୍ଵୟ ରକ୍ଷା କରିବେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବାପାଇଁ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କୁ ଏହି ଜାତୀୟ ଉତ୍ସବରେ ସମ୍ବର୍ଦ୍ଧିତ  କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏତଦଭିନ୍ନ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତୀପ୍ରତିଯୋଗୀମାନଙ୍କୁ ଉତ୍ସବରେ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

                ଜନସାଧାରଣଙ୍କ ମଧ୍ୟରେ ଜାତୀୟଚେତନା ଉଦ୍ରେକ କରିବା ଉଦ୍ଦେଶ୍ୟରେ ଦିବସର ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟ।ଳୟ ଆନୁକୂଲ୍ୟରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରାଯିବ । ଜିଲ୍ଲାସ୍ତରୀୟ ସମାରୋହରେ  ମୁଖ୍ୟ ଅତିଥିଙ୍କ ଦ୍ବାରା ସକାଳ ଘ ୮.୩୫ ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବାର ବୈଠକରେ ଆଲୋଚନା ହୋଇଥିବା ବେଳେ  ସକାଳ ୯ ଘଟିକା ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ।ଳୟ, ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଐତିହ୍ୟମଣ୍ଡିତ ବାରବାଟୀ ଦୁର୍ଗର ମୁଖ୍ୟ ପ୍ରବେଶଦ୍ଵାର, ସ୍ଵରାଜ ଆଶ୍ରମ, କର୍ମବୀର ଗୌରିଶଙ୍କର ରାୟ ଟାଉନହଲ, ସହିଦ ଭବନ, କଲେକ୍ଟୋରେଟ, ମହାନଗର ନିଗମ କାର୍ଯ୍ୟ।ଳୟ, ପଢିଆରୀ ପାଠାଗାର ଓ ସୂଚନା କେନ୍ଦ୍ର ଇତ୍ୟାଦି ସ୍ଥାନମାନଙ୍କରେ ଆଲୋକିକରଣ  ଓ ସହରରେ ବିଭିନ୍ନ ପ୍ରବେଶପଥମାନଙ୍କରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକ ମହାନଗର ନିଗମ ପକ୍ଷରୁ ତୋରଣ ନିର୍ମାଣ କରିବା ତଥା ସହରରେ ଅବସ୍ଥାପିତ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ ଏବଂ  ଆଲୋକିକରଣ ବ୍ୟବସ୍ଥା କରାଯିବା ପାଇଁ ଅନୁରୋଧ କରାଯାଇଛି । 

                  ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ କଟକ ମହାନଗର ନିଗମ , ବିଦ୍ୟୁତ ସରବରାହ ସଂସ୍ଥା(TPCODL), କଟକ ପୂର୍ତ୍ତ ପ୍ରଭାଗ-୧, ଅଗ୍ନିଶମ ସେବା କାର୍ଯ୍ୟାଲୟ, ୱାଟକୋ କାର୍ଯ୍ୟାଳୟ, ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ କାର୍ଯ୍ୟ।ଳୟ, ପୋଲିସ କମିଶନରେଟ ଅଧିକାରୀମାନଙ୍କୁ ନ୍ୟସ୍ତ ଦାୟିତ୍ଵ ସୂଚାରୁ ରୂପେ ସଂପାଦନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । 

                    ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ଜାତୀୟ ଦିବସ ଆୟୋଜନର  ସମସ୍ତ କାର୍ଯ୍ୟ ସଂଚାଳନା କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର,ରିଜର୍ଭ ଇନିସପେକ୍ଟର ଶ୍ରୀ ଦିଲୀପ କୁମାର ବେହେରା ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବି. ଏନ ଅଧିକାରୀ, ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତିୱ।ରୀଙ୍କ ସମେତ ପୂର୍ତ୍ତ ପ୍ରଭାଗ-୧ ର ସହକାରୀ ନିର୍ବାହୀଯନ୍ତ୍ରୀ, ଟି. ପି. ସି. ଓ. ଡି. ଏଲ, ସହକାରୀ ନିର୍ବାହୀଯନ୍ତ୍ରୀ ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା କଟକ ମହାନଗର ଶାନ୍ତିକମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ଓ ସଂପାଦକ ଶ୍ରୀ ଭିକାରି ଦାସ, ଦୀପାୟନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ଉତ୍ସବ ପାଳନ ସହ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀମାନେ ଯୋଗଦେଇ ଦେଇଥିଲେ।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS