*ଜମ୍ମୁ କଶ୍ମୀର ବିଧାନସଭାରେ ହାଇଡ୍ରାମା: ଧାରା ୩୭୦ ନେଇ ବିଧାୟକ ମୁହାଁମୁହିଁ*
ଜମ୍ମୁ କଶ୍ମୀର ବିଧାନସଭାରେ ଆଜି ହାଇଡ୍ରାମା ହୋଇଛି। ଧାରା ୩୭୦ ଫେରାଇ ଆଣିବା ଦାବିରେ ପିଡିପି ବିଧାୟକ ଗୃହ ମଧ୍ୟରେ ବ୍ୟାନର ପ୍ରଦର୍ଶନ କରିବା ନେଇ ବିଜେପି ଏବଂ ଅନ୍ୟ ଦଳର ବିଧାୟକ ମୁହାଁମୁହିଁ ହୋଇଛନ୍ତି। ବିଧାନସଭା ଆଜି ‘ଭାରତ ମାତା କୀ ଜୟ’ ସ୍ଲୋଗାନ୍ରେ କମ୍ପିଥିଲା। ଲଗାତାର ୩ ଦିନ ଧରି ବିଧାନସଭାରେ ଧାରା ୩୭୦ ଫେରାଇ ଆଣିବା ଦାବିରେ ହଟ୍ଟଗୋଳ ଜାରି ରହିଛି। ବିଧାୟକମାନେ ଆଜି ଗୃହରେ ବେଞ୍ଚ ଉପରୁ ଡିଆଁ ମାରି ଗୃହ ମଧ୍ୟଭାଗକୁ ଆସିଥିଲେ ଏବଂ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଗୃହର ମଧ୍ୟଭାଗକୁ ପ୍ରବେଶ କରିଥିବା ବିଜେପି ବିଧାୟକଙ୍କୁ ବାଚସ୍ପତି ଅବଦୁଲ ରହିମଙ୍କ ନିର୍ଦ୍ଦେଶରେ ସୁରକ୍ଷାକର୍ମୀମାନେ ଗୃହରୁ ବାହାର କରିଦେଇଥିଲେ।
ଉକ୍ତ ଘଟଣାକୁ ବିରୋଧ କରି ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଛନ୍ତି, ଏହା ଗଣତନ୍ତ୍ରରେ ସବୁଠାରୁ କଳା ଦିନ। ବିଧାନସଭା ବାଚସ୍ପତି ଗୃହର ବାଚସ୍ପତି ବଦଳରେ ଏନ୍ସି ନେତା ଭଳି ବ୍ୟବହାର ଦେଖାଉଛନ୍ତି । ସେମାନେ ବିରୋଧୀ ଦଳଙ୍କ ସ୍ବର ଚପାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ବିଜେପି ବିଧାୟକମାନଙ୍କୁ ଗୃହରୁ କାଢ଼ିଦେବାରୁ ଶର୍ମା କହିଛନ୍ତି, ସେମାନେ ଗୃହ ବାହାରେ ବାଚସ୍ପତିଙ୍କ ବିରୋଧରେ ଏକ ସମାନ୍ତରାଳ ବିଧାନସଭା ଚଳାଇବେ। ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଫେରାଇ ଆଣିବାପାଇଁ ବୁଧବାର ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଜେପି ବ୍ୟତୀତ ଅନ୍ୟ ସମସ୍ତ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା

Post a Comment