ଡରାଇଲାଣି ବାତ୍ୟା, ଆତଙ୍କିତ ଅଞ୍ଚଳବାସୀ
ଗଣିଆ (ମଣିଭଦ୍ରା ଖବର) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୪ ତାରିଖରେ ଏହି ସମ୍ଭାବ୍ୟ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ବେଳେ ଏହାର ନାମ "ଦାନା " ରଖାଯାଇଛି । ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ବାତ୍ୟା ହେବା ସୂଚନା ଫଳରେ ଭୟଭୀତ ହୋଇଯାଇଛନ୍ତି ଗଣିଆ ଅଞ୍ଚଳବାସୀ । ବିଶେଷକରି କଚ୍ଚାଘରେ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି । ବଣଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଘରକୁ ବୋହି ନେଉଛନ୍ତି । ଯାହା ଫଳରେ କିଛି ଅସାଧୁ ବ୍ୟବସାୟୀ ପନିପରିବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି କରି ଜନସାଧାରଣଙ୍କୁ ଠକୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ବ୍ୟବସାୟୀ ମାଲେମାଲ ହେଉଛନ୍ତି । ଅପହଞ୍ଚ ଇଲାକାରେ ରହୁଥିବା ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ଭିତରେ ଆସନ୍ନ ପ୍ରସବା ମହିଳା ମାନଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି । ବାତ୍ୟା ହେଲେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧର ଆଶଙ୍କା ଥିବାରୁ ଦମକଳ ବାହୀନି ସଜାଗ ରହିଥିବା ଅଧିକାରୀ ଜଣାଇଛନ୍ତି । ତେବେ ବ୍ଳକ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଚାର ପ୍ରସାର ଜୋରଦାର କରାଗଲେ ଜନସାଧାରଣଙ୍କୁ ଆସ୍ବସ୍ତି ମିଳିପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق