ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଏ.ଏସ୍.ଓ ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ କେବେ
ସରକାର ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ପ୍ରଦାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ
ରାଜ୍ୟର ବହୁ ଚର୍ଚ୍ଚିତ ଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ପୁଅ ମାଡ଼ ମାରିବା ଅଭିଯୋଗ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏ.ଏସ୍.ଓ ଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସ୍ତରରେ ବହୁ ଆନ୍ଦୋଳନ, ଦାବି, ପ୍ରତିବାଦ ଓ ତ୍ରିବ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତା କଥା ଉଠାଇ ଏ.ଏସ୍.ଓ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ଓ ବିଜେଡି ନେତା ଗୃହ ଭିତରେ ଓ ବାହାରେ ହଙ୍ଗାମା କରିଥିଲେ । ପିଡିତାଙ୍କ ପତ୍ନୀ ପୋଲିସ ରେ ଅଭିଯୋଗ କଲାପରେ ମଧ୍ୟ ପୋଲିସ ମାମଲା ପଞ୍ଜିକୃତ କଲାନାହିଁ । ସରକାରଙ୍କ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ, ସରକାର ଓ ରାଜଭବନ ର ଭୂମିକା ସନ୍ଦେହ ଜନକ ଥିଲା । ଏହି ସମୟରେ ସରକାରଙ୍କ ତରଫରୁ ଆଇନ ମନ୍ତ୍ରୀ ଶ୍ରୀ ପୃଥିବୀରାଜ ହରିଚନ୍ଦନ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ; "ଏହି ଘଟଣାର ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ୧୫ ଦିନ ମଧ୍ୟରେ ରିପୋର୍ଟ ଆସିବ" । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ଘଟଣାର ବାସ୍ତବତା/ ସତ୍ୟାସତ୍ୟ ଜାଣିବା ପାଇଁ ଗତ ତାରିଖ- ୦୬.୦୮.୨୦୨୪ ରେ ସୂଚନାଧିକାର କର୍ମୀ ଶ୍ରୀ ପ୍ରକାଶ ଦାସ ପୁରୀ ଜିଲ୍ଲାପାଳଙ୍କୁ ଆର.ଟି.ଆଇ ଆବେଦନ କରିଥିଲେ କି; (୧) ରାଜ୍ୟପାଳଙ୍କ ପୁଅ ଏସେଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ପାଇଁ କେଉଁ ତାରିଖରେ ସରକାର ପୁରୀ ଜିଲ୍ଲାପାଳଙ୍କୁ ନିଦ୍ଧେର୍ଶ ଦେଲେ ଏହାର ତଥ୍ୟ ପ୍ରଦାନ କରନ୍ତୁ । (୨) ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳ କେଉଁ ତାରିଖରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଏହାର ତଥ୍ୟ ପ୍ରଦାନ କରନ୍ତୁ । ଏବଂ (୩) ଏହି ତଦନ୍ତ ରିପୋର୍ଟର କପି ପ୍ରଦାନ କରନ୍ତୁ ।
ତା- ୪.୯.୨୪, ପତ୍ର ସଂଖ୍ୟା: ୨୫୨୭/C ରେ ପୁରୀ ଜିଲ୍ଲାପାଳଙ୍କ ପିଏ ତଥ୍ୟ ପ୍ରଦାନ କଲେ କି "ତଦନ୍ତ ଚାଲିଛି" କିନ୍ତୁ ସରକାର ତଦନ୍ତ ପାଇଁ କେବେ ପୁରୀ ଜିଲ୍ଲାପାଳଙ୍କୁ ନିଦ୍ଧେର୍ଶ ଦେଲେ ତାହାର କୈାଣସି ତଥ୍ୟ ପ୍ରଦାନ କଲେ ନାହିଁ । ଉକ୍ତ ତଥ୍ୟ ଲୁଚାଗଲା । ଆହୁରି ସନ୍ଦେହ ବଢିଲା । ଯଦି ସରକାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିଦ୍ଧେର୍ଶ ଦେଇଛନ୍ତି ତେବେ ଜିଲ୍ଲାପାଳଙ୍କ ପିଏ କାହିଁକି ତଥ୍ୟ ଦେବା ପାଇଁ ଡରୁଛନ୍ତି ଓ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛନ୍ତି । ଅନ୍ୟପଟେ ସରକାର/ ଆଇନ ମନ୍ତ୍ରୀ କହିଥିଲେ ୧୫ ଦିନ ମଧ୍ୟରେ ରିପୋର୍ଟ ଆସିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଫଳ ଶୂନ ।
ଗତ ତାରିଖ - ୧୭.୦୯.୨୪ ରେ ଆବେଦନକାରୀ ପ୍ରକାଶ ଦାସ ପୁରୀ ଜିଲ୍ଲାପାଳଙ୍କ ପିଏ/ପିଆଓ ଙ୍କ ବିରୋଧରେ ଅପିଲ କଲେ କି; ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସମ୍ପୂର୍ଣ୍ଣ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି ଓ ସରକାର ତଦନ୍ତ ପାଇଁ କେଉଁ ତାରିଖରେ ନିର୍ଦେଶ ଦେଇଥିଲେ ଏହାର ତଥ୍ୟ ପ୍ରଦାନ କରାଯାଇ ନାହିଁ । ତେଣୁ ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ପ୍ରଥମ ଅପିଲ କତୃପକ୍ଷ ପିଆଇଓ ଙ୍କୁ ନିର୍ଦେଶ ଦିଅନ୍ତୁ । ତାରିଖ: ୩.୧୦.୨୪ ରେ ପୁରୀ ଉପଜିଲ୍ଲାପାଳ କେସ୍ ଶୁଣାଣି କରି ଅଡର ପାସ୍ କଲେ; ଗତ ତା- ୪.୯.୨୪ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରାଯାଇଛି । ଏହି "ଘଟଣାର ତଦନ୍ତ ଚାଲିଛି ତଦନ୍ତ ସରିନାହିଁ" । କିନ୍ତୁ ତଦନ୍ତ ପାଇଁ ସରକାର କେଉଁ ତାରିଖରେ ନିର୍ଦେଶ ଦେଇଛନ୍ତି ଏହାର ତଥ୍ୟ ପ୍ରଦାନ କଲେ ନାହିଁ । ପ୍ରଶାସନ କାହା ଇଙ୍ଗିତରେ ଘଟଣାକୁ ଚପାଇବା ସହିତ ତଥ୍ୟ ଲୁଚାଉଛି ତାହା ତଦନ୍ତ ସାକ୍ଷେପ । କିନ୍ତୁ
ଏଠି ପ୍ରଶ୍ନ ଉଠୁଛି ବାସ୍ତବରେ ସରକାର/ ପ୍ରଶାସନର ର ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ଦେବାରେ ଆନ୍ତରିକତା ଅଛି ତ?
ଯଦି ସରକାରଙ୍କ ନିର୍ଦେଶ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ରହିଛି ତେବେ ପୁରୀ ଜିଲ୍ଲାପାଳ ଦୀର୍ଘ ମାସ ହେବ ନିରବ କାହିଁକି?
ନାଁ ଦଳୀୟ ଭାଇ ଓ ରାଜ୍ୟପାଳଙ୍କ ପୁଅ ବୋଲି ମାଡ଼ ମାରି ଲହୁ ଲୁହାଣ କଲେ କୈାଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ?
ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ୍ କି?
ଯଦି ଇତିହାସ/ ଭବିଷ୍ୟତ ପିଢ଼ି ଆମକୁ ପ୍ରଶ୍ନ କରେ କିଛି ଝାଡ଼ଖଣ୍ଡୀ ବ୍ୟକ୍ତି ଆସି ଓଡ଼ିଶାରେ ପଶି ଓଡ଼ିଆଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ କିନ୍ତୁ ସ୍ଵାଭିମାନୀ ଓଡ଼ିଆ ଜାତି କରୁଥିଲା କ'ଣ? କାହିଁକି ନୀରବ ଥିଲା? ଏହାର ଜବାବ ଆମେ ଦେଇପାରିବା ତ? ସ୍ଵାଭିମାନୀ ଓଡ଼ିଆ ଜାତି ନିଜକୁ କ୍ଷମା କରିପାରିବ ତ? ଓଡ଼ିଆ ଅସ୍ମିତା ପାଇଁ ଲଢେଇ କରୁଥିବା ବ୍ୟକ୍ତି ମାନଙ୍କର ଅହେତୁକ ନିରବତା କ'ଣ ପ୍ରମାଣିତ କରୁଛି? ଏହା କ'ଣ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଜାତିର ଅପମାନ ନୁହେଁ କି?
ସରକାର ସମସ୍ତ ଗଠନ ମୂଳକ ସମାଲୋଚନା, ଚର୍ଚ୍ଚ, ନିନ୍ଦାକୁ ସକରାତ୍ମକ ଭାବେ ଗ୍ରହଣ କରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଯାହା ଦ୍ଵାରା ସରକାରଙ୍କର ବିଶ୍ୱାସ-ନିୟତା ବଢିବା ସହିତ ରାଜ୍ୟର ମଙ୍ଗଳ ହେବ । ସରକାର ଏ.ଏସ୍.ଓ ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ପ୍ରଦାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା

Post a Comment