ବାଘ ଶିକାର ଘଟଣା ରେ 6 ଜଣ ଗିରଫ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ସୂଚନା ମୁତାବକ ବିଦ୍ୟୁତ ଫାଶ ପକାଇ ଜନ୍ତୁ ଶିକାର କରାଯାଉଥିବା ବେଳେ ଜୀବନ୍ତ ବିଦ୍ୟୁତ ସଂଷ୍ପର୍ଶରେ ଆସି କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ବାଘର ୪ ଟି ପଞ୍ଝା, ନଖ, ଦାନ୍ତ ନେଇ ଦୁର୍ବୃତ ମାନେ ଫେରାର ହୋଇ ଯାଇଥିଲେ । ଅନ୍ୟପଟେ ବନବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ପ୍ରାୟ ୫ ଦିନ ପରେ ବାଘ ମୃତ୍ୟୁ ଖବର ଜଣା ପଡିଥିଲା । ଗତ ମଙ୍ଗଳବାର ଦିନ ସକାଳୁ ସ୍ଥାନୀୟ କିଛି ଲୋକ ଜଙ୍ଗଲକୁ ଛେଳି ଚରାଇ ଯାଇଥିବା ବେଳେ ବାଘଟିର ଗଳିତ ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ବନବିଭାଗ ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବାଘପାଲି ଜଙ୍ଗଲ ଭିତରେ ଥିବା ମଠର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ (୪୮)ଙ୍କ ସମେତ କୋଟସମଲାଇ ଗ୍ରାମର ସୁରେନ୍ଦ୍ର ପଧାନ(୪୦), ବିଜୁ ଗୁରୁ(୨୭), ନାକଡେଇଁ ଗ୍ରାମର ରାମଚନ୍ଦ୍ର ପୁରୋହୀତ (୪୫), ବାଘପାଳି ଗ୍ରାମର ପୁରନ୍ଦର ଥାଟି(୩୩) ଏବଂ ସୋନପୁର ସଦର ପଟାଭାଡି ସାହିର ସତ୍ୟ ନାରାୟଣ ମେହେର (୪୮) ରହିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଶିକାରୀଙ୍କ ପାଖରୁ ବାଘର ୪ଟି ପଞ୍ଝା ସମେତ କିଛି ନଖ ଏବଂ ଦାନ୍ତ ଜବତ କରାଯାଇଛି । ତଦନ୍ତ ସମୟରେ ମଠାଧିଶ ତଥା ସନ୍ଥ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ ବାଘ ଶିକାର ଘଟଣାରେ ମୂଖ୍ୟ ଅଭିଯୁକ୍ତ ରହିଥିବା ଜାଣିବାକୁ ପାଇଥିବା ବେଳେ ମଠ ଭିତରୁ ବାଘର ୪ଟି ପଞ୍ଝା ଜବତ କରାଯାଇଥିଲା । ସେହିପରି ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାନଙ୍କ ଠାରୁ କିଛି ବାଘ ନଖ ଏବଂ ଦାନ୍ତ ସମେତ ବାଘ ଶିକାରରେ ବ୍ୟବହାର ହୋଇଥିବା କିଛି ସାମଗ୍ରୀ ଜବତ କରାଯାଇଛି। ଅନ୍ଯପଟେ କାହିଁକି ଦାଇତ୍ୱରେ ଥିବା ଅଧିକାରୀଙ୍କୁ ଉପରସ୍ଥ ଅଧିକାରୀ ସୁରକ୍ଷା ଦେଉଛନ୍ତି ତାହା ସାଧାରଣରେ ଗୋଟିଏ ପ୍ରଶ୍ନ ହୋଇ ରହିଯାଇଛି। ଏନେଇ ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆଙ୍କୁ ପଚାରିବାରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଖୁବଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


إرسال تعليق