BREAKING
Loading...
:

ଲମ୍ବା ପ୍ରତିଶୃତି ଓ ଭାଷଣବାଜିରେ ଅଟକିଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶ

 ଲମ୍ବା ପ୍ରତିଶୃତି ଓ ଭାଷଣବାଜିରେ ଅଟକିଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶ



ଖଣ୍ତପଡା୧୯|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ରାଜ୍ୟର ଏକ ପଛୁଆ ନିର୍ବାଚନମଣ୍ଡଳୀ ଭାବେ ନୟାଗଡ ଜିଲ୍ଲା ଅଧିନ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀଟି ପରିଗଣିତ ହୋଇଆସୁଛି।ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧିତ୍ବ କରି ଆସୁଥିବା ବିଧାୟକ ଶାସକ ଦଳର ହୋଇଥିଲେ ହେଁ ବର୍ଷକ ମଧ୍ଯରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ସାମଗ୍ରିକ ବିକାଶର ପଦଚିହ୍ନ ଅଦ୍ୟାବଧି ନଜରକୁ ଆସୁନାହିଁ। ରାଜ୍ଯ ସରକାରଙ୍କ ଏକ ବର୍ଷ ପୂ୍ର୍ତ୍ତି ଅବସରରେ ସମଗ୍ର ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ଷକ ମଧ୍ଯରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସମେତ ମାଳମାଳ ମନ୍ତ୍ରୀ ଓ ବିଧାୟକ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀକୁ ଗସ୍ତରେ ଆସି ଅନେକ କିଛି ପ୍ରତିଶୃତି ଦେଇଥିଲେ ହେଁ ତାହା ଏବେବି କାର୍ଯ୍ୟକାରୀ ହୋଇପାରିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ସ୍ଥାଣୁତା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶରେ ବାଧକ ସାଜିଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ବାଚନମଣ୍ଡଳୀବାସୀଙ୍କ ଦିର୍ଘ ବର୍ଷର ଦାବି ସରକାର ପୁରଣ କରିବାରେ ବିଫଳ ହୋଇଛନ୍ତି।ଏଥିପାଇଁ ଲୋକ ପ୍ରତିନିଧିମାନେ ହିଁ ଦାୟୀ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ୧୯୮୯ ମସିହାରେ ଖଣ୍ଡପଡ଼ା ସହର ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଥିଲା। ଦିର୍ଘ ୩୫ ବର୍ଷ ଅତିବାହିତ ପରେ ବି ଖଣ୍ଡପଡ଼ା ସବ- ଡିଭିଜନର ମାନ୍ୟତା ନପାଇବା ପରିତାପର ବିଷୟ ଅଟେ। ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ଏଥିପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଥିବା ଜଣାଯାଇଛି।ସେହିପରି ୩ ବର୍ଷ ପରେ ମଧ୍ଯ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ଯକାରୀ ନହେବା ,ପାନୀୟଜଳ ସମସ୍ୟାର ସମାଧାନ ସହ କୃଷି ଓ କୃଷକର ଉନ୍ନତି ନିମନ୍ତେ ଚିରସ୍ରୋତା ମହାନଦୀ ଜଳର ସୁବିନିଯୋଗ ନେଇ ମହାନଦୀରେ ବ୍ୟାରେଜ ନିର୍ମାଣ, ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ ପ୍ରତିଷ୍ଠା,ଶୀତଳ ଭଣ୍ଡାର ପ୍ରତିଷ୍ଠା, ଖଣ୍ଡପଡ଼ାର ସୁଯୋଗ୍ଯ ସନ୍ତାନ ବିଶ୍ବ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ଯରେ ପଠାଣି ସାମନ୍ତ ସ୍ମାରକୀ ମନ୍ଦିର ନିର୍ମାଣ, ଖଣ୍ଡପଡ଼ା ବାଇପାସ ରାସ୍ତା ସହ ଦହିଖାଇ-ବରକୋଳି ରାସ୍ତାର ସଂଯୋଗୀକରଣ, କଣ୍ଟିଲୋ ନୀଳମାଧବଙ୍କ କ୍ଷେତ୍ରକୁ ରେଳପଥ ସଂଯୋଗୀକରଣ, ତାଳଚେରରୁ ଖଣ୍ଡପଡ଼ା, କଣ୍ଟିଲୋ ଦେଇ ବନ୍ଦର ସହର ଗୋପାଳପୁରକୁ ବ୍ରଡଗେଜ ରେଳପଥ ନିର୍ମାଣ ଓ କଣ୍ଟିଲୋରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ କୋଠା ନିର୍ମାଣ କାର୍ଯ୍ଯ କେବଳ ପ୍ରତିଶୃତିରେ ସୀମିତ ଥିବାବେଳେ ଖଣ୍ଡପଡ଼ା ବିଧାୟକଙ୍କ ପାରିବାପଣିଆ ପଦାରେ ପଡିଥିବା ଜଣାପଡିଛି। ଖଣ୍ଡପଡ଼ାର ଉପକାରାଗାର ଟି ୧୯୩୮ ମସିହାରେ ସ୍ଥାପିତହୋଇଥିଲା ତେବେ ବର୍ତ୍ତମାନ ଡବଲ ଇଞ୍ଜିନି ସରକାର ଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲା କାରାଗାରରେ ମିଶ୍ରଣରେ ଖଣ୍ଡପଡ଼ା ଅଞ୍ଚଳ ପାଇଁ ଏହା ଠିକ ନୁହେଁ। କେବେ ଆଉ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କ ସ୍ବପ୍ନ ପୁରଣ ହେବ ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣ୍ଡପଡ଼ା ବିଧାୟକଙ୍କ କଥା ଆଉ କାର୍ଯ୍ଯରେ ତାଳମେଳ ରହୁନଥିବାରୁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରଗତିର ରଥ କେତେଦୂର ଆଗେଇ ତାହା ସମ୍ଭବ କହିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ଅପରପକ୍ଷେ ଖଣ୍ଡପଡ଼ା ବିଧାୟକଙ୍କ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମଧ୍ଯରେ ରାଜନୈତିକ ବାଦବିବାଦ ଲାଗି ରହିଥିବାରୁ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିକାଶ  ବାଟବଣା ହୋଇଥିବା ଜଣାପଡିଛି। ନୟାଗଡ ଜିଲ୍ଲାପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS