କେଶରା ପଲ୍ଲୀ ଠାରେ ସଡକ ଦୁର୍ଘଟଣା
ଗଞ୍ଜାମ (ମଣିଭଦ୍ରା ଖବର) ଘର ବାରଣ୍ଡାରେ ବସିଥିବା ବେଳେ, ଘର ଉପରକୁ ମାଡିଗଲା କାର୍ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର – ଭଂଜନଗର ମୁଖ୍ୟ ରାସ୍ତାର କେଶରାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ପ୍ରତିବାଦରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ, ବ୍ରହ୍ମପୁର – ଭଂଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି, ସଂପୃକ୍ତ କାର୍ ଚାଳକକୁ ଅଟକ ରଖିଛି । ମୃତ ମହିଳା ଜଣକ, କେଶରାପଲ୍ଲୀ ଗାଁର ସଂଯୁକ୍ତା ବିଷୋୟୀ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ, କେଶରାପଲ୍ଲୀ ଗାଁର ମୁଖ୍ୟ ରାସ୍ତାକଡରେ ଥିବା ଏକ ଘର ବାରଣ୍ଡାରେ କିଛି ମହିଳା ଏବଂ ଛୋଟ ଛୁଆ ବସିଥିଲେ । ରାତିରେ ବ୍ରହ୍ମପୁର ପଟୁ ଭଂଜନଗର ଅଭିମୁଖେ ଆସୁଥିବା ଏକ କାର୍, ଘର ଉପରକୁ ମାଡି ଯାଇଥିଲା । ଏବଂ ଘଟଣା ସ୍ଥଳରେ ଗାଡ଼ିରେ ଚାପି ହୋଇ ସଂଯୁକ୍ତା ଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଏବଂ ଜଣେ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଧାର କରି ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀକରି, ରାସ୍ତାରେ ଟାୟାର୍ ଜାଳି ଅବରୋଧ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق